ଜନ୍ମମାଟିର ସମ୍ପର୍କ
ଜନ୍ମମାଟିର ସମ୍ପର୍କ
ଅଢେଇ ଦିନର ଏଇତ ଜୀବନ,
ମିଛ ଅଭିମାନେ ଗଢା ଅଟ୍ଟାଳିକା।
ଜୀବନ ଶେଷରେ ଥିବ ସ୍ମୃତି ଚିହ୍ନ,
ଭଗ୍ନାଂଶ କେବଳ ଥିବ କାଲି ଏକା।।
ସ୍ବାର୍ଥ ସାଥେ ଦିଅ ସମ୍ପର୍କ ତୁଟାଇ,
ଆନ ମୁଖେ ଦିଅ ହସଟେ ଫୁଟାଇ।
ଦେଖୁଥିବା ଜନେ ହେବେ କୁହାକୁହି,
ପୁଷ୍ପିତ ପୁଷ୍ପରୁ ବାସ ହିଁ ଛୁଟଇ।।
ଜନ୍ମଭୂମି ଠାରେ ଜନ୍ମରୁ ସମ୍ପର୍କ,
କେମିତି ତୁଟାଇ ପାରୁଛ ତୁମେ।
ମାଆ ଠାରୁ ଗଲେ ସନ୍ତାନ ଦୂରେଇ,
ମାଆ ଝୁରେ ସଦା ସନ୍ତାନ ନାମେ।।
ସାଗର, ନଦୀର ସମ୍ପର୍କ ନିବିଡ଼,
ଉଭୟ ବ୍ୟାକୁଳ ମିଶିବା ପାଇଁ।
ନଦୀ ଯେ ନିଜର ସୀମା ଲଙ୍ଘି ଯାଏ,
କେତେ ଗିରି, ବନ, ପ୍ରାନ୍ତର ଡେଇଁ।।
ନିଜ ଜନ୍ମଭୂମି ମାଆର କୋଳକୁ,
କେମିତି ପାଶୋରି ଦେଇଛ ମନେ।
ସମ୍ପର୍କ ଗଢିବା ଶିକ୍ଷାଦେଲା ଯିଏ,
ମନରେ ତୁମର ପଡେନି ଦିନେ।।
ଯା' ମାଟି ଚନ୍ଦନ ସମ ଶୀତଳତା,
ଦେହରେ ମାଖିଛ ଆନନ୍ଦ ଚିତ୍ତେ।
ଆଜି କିମ୍ପା ଇଚ୍ଛା ହୁଏନି ତୁମର,
ବୁଲି ଯିବା ପାଇଁ ସେ ଗାଁ କୁ ସତେ।।
ଭୁଲିଗଲ ଅବା ନିଜ ପିଲାଦିନ,
ଯାହା କୋଳେ ଦିନେ ବିତାଇ ଥିଲ।
କେଉଁ ସୁଖ ବିନିମୟେ କୁହ ଥରେ,
ସମ୍ପର୍କ ତା' ସାଥେ ତୁଟାଇ ଦେଲ।।
ସହର ମୋହରେ ଅନ୍ଧ ହୋଇ ଆଜି,
ଜନ୍ମମାଟି କଥା କରନା ଚିନ୍ତା।
ପୁତ୍ର ସମ ଯିଏ କରିଛି ସେନେହ,
କୁହ କେ ବୁଝିବ ସେ ମାଆ ବ୍ଯଥା।।
କୃଷ୍ଣ ସାଜି ଯେଉଁ ଦ୍ବାରିକା ଗଢିଲ,
ଗୋପପୁର କଥା ମନୁ ପାଶୋରି।
ରାଜା ହେଲା ପରେ ଭୁଲିଲ ମୋହନ,
କିନ୍ତୁ ଗୋପପୁର ହେଉଛି ଝୁରି।।
ମାତୃଭୂମି ସେବା ମା' ସେବା ସମାନ,
ମହାପୁରୁଷଙ୍କ ମହତ ବାଣୀ।
ଏନ୍ତୁଡ଼ି ନିଆଁ ରୁ ସମ୍ପର୍କ ଆରମ୍ଭ,
ଶ୍ମଶାନରେ ଶେଷ ହୁଏ କାହାଣୀ।।
