ଜନମ ମାଟି ମୋ ଗାଁ
ଜନମ ମାଟି ମୋ ଗାଁ
ଯାହାର କୋଳରେ ଜନମ ହୋଇଛି
ସେଇ ମୋର ମାଟି ମାଆ
ସବୁଠୁ ସୁନ୍ଦର ମଧୁର ଲାଗଇ
ମୋତେ ତାର ସେଇ ନାଆଁ ।
ତାହାରି ଛାତିରେ ପାଦ ଦେଇ ମୁହିଁ
ଶିଖି ଅଛି ଆଜି ଚାଲି
ତା ପାଣି ପବନ ଫଳ ମୂଳ ଖାଇ
ଧୂଳିରେ ଅଛି ମୁଁ ଖେଳି ।
ଏଇଠି ଜଳିଛି ମୋ ଏନ୍ତୁଡି ନିଆଁ
ଜଳିବ ବି ଜୁଈ ନିଆଁ
ମଶାଣୀ ଭୂଇଁରେ ପାଉଁଶ ହୋଇଲେ
ଲିଭି ଯିବ ମୋର ନାଆଁ ।
ଜୀବନର ପ୍ରତି ମୁହୂର୍ତ୍ତଟି ଏଠି
ତା ସାଥେ ଯାଇଛି ବିତି
ମନେ ଆଙ୍କିଛି ସେ ଅନେକ ସପନ
ସ୍ମୃତି କେତେ ଅନୁଭୂତି ।
ଏଇଠି କଟିଛି ପିଲାବେଳ ମୋର
କଟିବ ଶେଷ ସମୟ
ପବିତ୍ର ମୋ ମାଆ ମାଟି କୋଳେ ଥିଲେ
ନ ଥାଏ କିଛି ମୋ ଭୟ ।
ଆହାଃ କି ସୁନ୍ଦର ତାର ପରିବେଶ
ସବୁଜ ଶ୍ୟାମଳ ଘେରା
ଝରୁ ଥାଏ ଏଠି ବନ ନିର୍ଝରିଣୀ
ସୁନା କ୍ଷେତେ ହସେ ଧରା ।
ସବୁଜ ଗାଲିଚା ଦିଶେ କି ସୁନ୍ଦର
ତନୁ ମନ ନିଏ କିଣି
ପ୍ରକୃତି ସୌନ୍ଦର୍ଯ୍ଯ ଭରା ମୋ ଗାଆଁଟି
ସବୁ ହୃଦୟକୁ ଜିଣି ।
କେତେ ଯାନି ଯାତ୍ରା ହୋଉଥାଏ ଏଠି
ପାଳି ଥାନ୍ତି ମିଳି ମିଶି
ବିପଦେ ଆପଦେ ସାହା ହେଉଥାନ୍ତି
ଦୁଃଖରେ ସେ ଦ୍ୟନ୍ତି ହସି ।
ସେନେହ ମମତା ବନ୍ଧନ ଡୋରରେ
ଆତ୍ମୀୟତା ଭରି ଥାଏ
ମୋ ଜନମ ମାଟି ଗାଆଁକୁ ଯେ ଆସେ
ନା ଭୁଲି ପାରେ ସିଏ ?
ମୋ ଗର୍ବ ଗୌରବ ଜନମ ମାଟି ମୋ
ମମତାରେ ଭରା ସିଏ
ଭୁଲି ନାହିଁ କେବେ ଭୁଲି ପାରିବିନି
ମୁଁ ତାକୁ ଭଲ ପାଏ ।।
