ଜଳବିନ୍ଦୁ....
ଜଳବିନ୍ଦୁ....
କେଉଁ ଦେବତାର କ୍ଷଣିକ ଆଶିଷ
ମେଘରୁ ପଡିଲି ଝରି
ଜଳବିନ୍ଦୁ ମୁଁଯେ କ୍ଷଣିକ ଆୟୁଷ
ମାଟିରେ ଯିବି ମୁଁ ଝରି ll
ବରଷାରେ ଯେବେ ଝରିପଡେ ମୁହିଁ
ମହାଶୂନ୍ୟ ଅଗଣାରୁ
କେତେ ସୁଖ ପାଏ କେକୀ ମୋତେ ପାଇ
ଚାଷୀ ହସେ ହୃଦୟରୁ ।।
ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ଗଢେ ମୁହିଁ
ତଥାପି ମୋ ଗର୍ବ ନାହିଁ
ବିଶାଳ ସମୁଦ୍ର ଛାତି ଟେକି କହେ
ସବୁ ଠାରୁ ବଡ଼ ମୁହିଁ ll
ବିନ୍ଦୁ ବିନ୍ଦୁ ହୋଇ ପଡ଼ି ମୁଁ ଧରାରେ
ନଈ ହୋଇ ବହି ଯାଏ
ଗର୍ବ, ଅହଂକାର ସବୁ ଛାଡି ମୁଁ ଯେ
ସମୁଦ୍ରରେ ମିଶି ଯାଏ ll
କେବେ ଝରିପଡ଼େ ଶିଶିର ଟୋପାରେ
କୁଂଜଲତାର ସେ ନାଲି ଶରୀରରେ
ମୁକ୍ତା ଯେହ୍ନେ ଭ୍ରମ ହୁଏ
ଯେବେ ପଡେ ସେଇ ରବିଙ୍କ କିରଣେ
ଆକାଶରେ ମିଶିଯାଏ ll
ଯେବେ ଝରିପଡ଼େ ଶାମୁକା ଦେହରେ
ମୁକ୍ତାଟିଏ କରିଦିଏ
ସୁନ୍ଦରୀ ନାରୀର ଗଳାରେ ପୁଣି ମୁଁ
ମୁକ୍ତା ହୋଇ ଶୋଭା ପାଏ ll
କେବେ ପୁଣି ମୁହିଁ ନିଷ୍ପେଷିତ ହୁଏ
ଦିନକର କିରଣରେ
ମୋହ ସବୁ ମୋର ଭାଙ୍ଗିଯାଏ ପୁଣି
ମିଶଇ ସେ ଆକାଶରେ
ଜଳବିନ୍ଦୁ ହୋଇ ପୁଣି ଜନ୍ମ ନିଏ
ଏଇ ସୁନ୍ଦର ଧରାରେ ll
