ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜଳ ଖାଲି ଜଳ ନୁହେଁ ଏହା ତ ଏକ କବିତା
ଘୋର ଘର୍ଘର ସମୁଦ୍ର ସେ କେବେ,ପୁଣି କେବେ ସ୍ନିଗ୍ଧ ସରିତା,
ନିଦାଘର ଜ୍ୱାଳା ଯେବେ ଧାରାକୁ କରେ ଦଗ୍ଧ ପ୍ରପୀଡ଼ିତ ,
ହାତ ପା'ନ୍ତା ଆକାଶ ବି କାଳେ ଲୁହ ସିଞ୍ଚେ ବୁନ୍ଦା ବୁନ୍ଦା.....
ଜଳ ଖାଲି ଜଳ ନୁହେଁ ଆଶା, ଆଶ୍ୱାସନାର କବିତା
ପୁରାଣ କହେ, ପୂର୍ବପୁରୁଷଙ୍କୁ ନିସ୍ତାରିବାକୁ ରାଜା ଭାଗୀରଥ
ହୃଦରେ ରୁଦ୍ର ଓ ବିଶ୍ୱାସରେ ବିଷ୍ଣୁ ନେଇ ହୁଅନ୍ତେ ପ୍ରାର୍ଥନାରତ
ସ୍ୱର୍ଗତ୍ୟାଗୀ ମା ' ଗଙ୍ଗା ହେଲେ ମହୀମଣ୍ଡଳେ ଆବିର୍ଭୁତା
ପ୍ରଚଣ୍ଡ ଉଗ୍ରତା ତ୍ୟଜି ନମ୍ରସ୍ରୋତା ହେଲେ ଛୁଇଁ ଶିବଙ୍କର ଜଟା
ବିକଶିତ ହେଲା ତହୁଁ ଆର୍ଯ୍ୟାବର୍ତ୍ତ, ପ୍ରାରମ୍ଭ ଆମ ସଭ୍ୟତା
ଜଳଖାଲି ଏଦେଶେ ଜଳ ପରା ନୁହେଁ, ପ୍ରବାହିତ ଆଧ୍ୟାତ୍ମିକତା l
ସିନ୍ଧୁ,ସତଲେଜ,ବ୍ରାହ୍ମଣୀ,କାବେରୀ,ତାପ୍ତି,ଯମୁନା,ନର୍ମଦା
ତଟିନୀ,ପୁଷ୍କରିଣୀରେ ମୋଦେଶ ଅନ୍ନପୂର୍ଣ୍ଣା,ଲକ୍ଷ୍ମୀସମ୍ଭୁତା
ଭାରତର ପ୍ରତି ରାଜ୍ୟ, ପ୍ରତି ପ୍ରଦେଶ ସୁଫଳା, ଉର୍ବରା, ହରିତା
କ୍ଷୁଧା ତୃଷ୍ଣା ମେଣ୍ଟାଇ ରକ୍ଷାକରିଅଛି ଅଚିରେ ଯେ ଜୀବସତ୍ତା....
ଜଳ ଖାଲି ଜଳ ନୁହେଁ ମୋ ଭୂମିରେ ଏତ ଅକୁଣ୍ଠ, ତରଳ ମମତା ।
ଉଚ୍ଚ ଶିଖରୁ ନିର୍ଗତ ହେଲେହେଁ ସ୍ରୋତଗତୀ ନିମ୍ନମୁଖା
ଧୌତ କରେଯେ ଔଧତ୍ୟ ମନରୁ ଶୁଦ୍ଧକରେ ରାଜସିକତା,
ଝରରୁ କ୍ରମେ ନଦୀ ପରେ ଲଭେ ସିନ୍ଧୁର ବିଶାଳତା
କୀଟ,ଜଳଚର ସଭିଏଁ ନିର୍ଭର, ନିର୍ଭରତ ବୃକ୍ଷଲତା
ମୀନ ଶୈବାଳୁ ଜୀବନ ଆଧାର ପୁଣି କେବେସେ ପ୍ରଳୟ ଗାଥା
ପାଣିରୁ ପ୍ରାରମ୍ଭ ପରାଣର ସ୍ରୋତ ବ୍ରହ୍ମାଣ୍ଡେ ସର୍ବବିଦିତା l
ଧରି ମୌସୁମୀର ବାର୍ତ୍ତା ସମୟରେ ଆଗେ ଆସୁଥିଲା ଘନଘଟା
କୃଷକ ମୁଖରେ ଧାରେ ହସ ଛୁଟେ ସମ୍ଭାବନା ଟେକେ ମଥା
ଅପବିତ୍ର କରି ଜଳ, ବାୟୂ, ବ୍ୟୋମ ଏବେ ଆମେ ହଟହଟା
ବୃକ୍ଷ ଲଗାଇ ଏ ମେଦିନୀ ବକ୍ଷୁ ହରିନେବା ତାର ବ୍ୟଥା
ଜଳ ହିଁ ଜୀବନ ଜୀବନ ହିଁ ଜଳ ପ୍ରସାରିବା ସଚେତନତା ।