ବିଶ୍ୱାସ
ବିଶ୍ୱାସ
ବିଶ୍ୱାସ
ନିଲାମ ହୁଏ ଏଠି ଖୁବ୍ ସହଜରେ।
କୁଚକ୍ରାନ୍ତକାରୀ କଳୁଷିତ ହାତରେ,
ଛଳନାର ଚକ୍ରବ୍ୟୁହରେ,
ସରଳତାର ଦୁରୁପଯୋଗ କରି।
ଆଧୁନିକ ଯୁଗର ଦ୍ୱାହି ଦେଇ
ଅମୂଲ ମୂଲ ବିଶ୍ୱାସକୁ ଅପହରଣ କରନ୍ତି
ଦୋଷୀ ହୋଇଯାଏ ଜଗତଜିତା,
ଆଶ୍ଚର୍ଯ୍ୟ କାହିଁକି ଯେ!
ଏ ବିଲକ୍ଷଣ ପରା ଘୋର କଳିଯୁଗର ।
ମୁଖା ପଛର ରହସ୍ୟ ଯେବେ
ଅପରିଚିତ ହୋଇ ରହିଯିବ
ଗୁମୁରି କାନ୍ଦିବ ସରଳ ବିଶ୍ୱାସୀ ମଣିଷଟିଏ
ବିଶ୍ୱାସର ମୂଲ ବା କାହୁଁ ରହିବ,
ତିନି ତୁଣ୍ଡରେ ଛେଳି ଯେ କୁକୁର ବୋଲାଇବ।
ହଁ ବିଡ଼ମ୍ବନାର ବିଷୟ ନିଶ୍ଚିତ,
କିନ୍ତୁ ପରିତାପ, ପ୍ରକୃତ ଶେଷୋକ୍ତି ନୁହେଁ
ମରୀଚିକା ଯେବେ ସତ୍ୟ ବୋଲି
ପ୍ରଶଂସା ସାଉଁଟି ଚାଲିବ
ସମୂହ ବିଲୟ ଅବଶ୍ୟମ୍ଭାବୀ।
ତୁମ ଅନ୍ତର୍ମନରେ ପୁଣି ଝଡ଼ ଉଠିବ
କଳି ରାକ୍ଷସର ମାୟା ଯେବେ ଅପସରି ଯିବ,
ସତ୍ୟ ଯେ କୋଟି ସୂର୍ଯ୍ୟର ପ୍ରକାଶ
ସାତ ତାଳ ପାଣି କାହୁଁ ତାକୁ ଲୁଚାଇ ପାରିବ
ମନେ ରଖିଥିବ ତୁମେ!
"ବିଶ୍ୱାସ" ବନ୍ଧା ପଡ଼ିଥିଲା ଜଣେ ସରଳ ମଣିଷର
ସେ ମଣିଷ କିନ୍ତୁ ବଦଳି ସାରିଥିବ।