ମାଟି ଆକାଶ ଓ ଇନ୍ଦ୍ରଧନୁ
ମାଟି ଆକାଶ ଓ ଇନ୍ଦ୍ରଧନୁ
ସେ ଆକାଶରେ ଫୁଟିପାରେ ମାଳ ମାଳ
ସ୍ୱପ୍ନର ନୀଳ ପଦ୍ମ ସତ
କିନ୍ତୁ ମାଟିର ସେ ମିଠା ପଣ ତା ପାଖରେ କାହିଁ
ହୋଇପାରେ ଲାଗେ ସେଠି ମେଘର ଆସର
ତାତି ଯେବେ ବଢ଼ିଯାଏ ଦେହେ
କିନ୍ତୁ ବତୁରା ଯନ୍ତ୍ରଣାର ସେ ଶୀତଳ ଆତ୍ମତୃପ୍ତି କାହିଁ
ସେଇ ମେଘ ଟିକକ ପାଇଁ ତ ଅହଙ୍କାରେ ଗର୍ଜିଉଠି
ସେ ବାରମ୍ବାର ମାଟି ସହ କରିଛି ଛଳନା
କିନ୍ତୁ ସେ ଉଧାରିଆ ମୌସୁମୀ ବି ମାଟିର ହିଁ ଦାନ
ତାହା ବୋଧେ ତାକୁ କେବେ ବୁଝା ପଡ଼େ ନାହିଁ।
ଆଉ ସେଇ ଯେଉଁ ବକ୍ରାଙ୍ଗି ଇନ୍ଦ୍ରଧନୁର
ଏତେ ସବୁ ଯଶ ଖ୍ୟାତି ଆଜି କାଲି ମାଟିର ସହରେ
କୁହ ତ ସେ ଧନୁ କେବେ ଛୁଇଁ କେ ଦେଖିଛି
ଏକ ଭ୍ରମାତ୍ମକ ସ୍ଵପ୍ନ ଛଡ଼ା ଆଉ କିଛି ନୁହେଁ
ଯାହା କ୍ଷଣିଏ ଆୟୁଷ ନେଇ ବାରବାର ମରିଛି।
ବୟସର ଆୟୁଷ ଖୋଜା ପଡ଼େ
ଯେବେ ମାଟି ଆଉ ବାସେନା ଆଗ ପରି
ଧୋକା ଦିଏ ଆକାଶ ଭାବର ମେଘକୁ ତାର
ଲୁଚାଇ ଦେଇ ତା ଭିତରର ଖରାର ଦାମ୍ଭିକପଣରେ
ଚୁପ୍ ହୋଇଯାଏ ମାଟି କିଛି ଶୁଖିଲା ଅଭିମାନ ସହ
ପବନ ଆଉଁସି ଦେଇଯାଏ ତା ଅଲରା କେଶକୁ
ସ୍ଵପ୍ନରେ ଆସେ ଇନ୍ଦ୍ରଧନୁ ଏକ
କାଳ୍ପନିକ କାହାଣୀଟେ ସାଜି
ମାଟି ଓ ଆକାଶର ଏ ମାନୋମାଳିନ୍ୟରେ
ଜୀବନ ଜଳେ ଏକ ଅସ୍ତବ୍ୟସ୍ତ ଶ୍ମଶାନଟେ ସାଜି।