ଆଷାଢୀ ଆଶା
ଆଷାଢୀ ଆଶା
ସବୁଜ ଶାଢ଼ୀରେ ଢଳ ଢଳ ହୁଏ
ଭିଜା ଭାବନାର ଭାଷା,
ବୟସ ବଗିଚା ଭରି ପୁରି ଉଠେ
ମନରେ ଆଷାଢୀ ଆଶା।
ଆକାଶର ନୀଳ ଦେହକୁ ଆବୋରି
କଳା ମେଘ ମାଳ ମାଳ,
ବରଷି ବରଷି ନୟାନ୍ତ ହେଲେଣି
ଦେହରୁ ଶୁଖେନା ଝାଳ।
ଜଳାର୍ଣ୍ଣବ ପରିପାଟୀ ଶୋଭା ପାଏ
ଆନନ୍ଦେ ବିଭୋର ଧରା
କୋଟି ନିଧି ପାଇଗଲା ପରି ସଞ୍ଚେ
ଭବିଷ୍ୟ ଜୀବନ ଧାରା।
ବର୍ଷା ଛିଟା ମିଶା କାଲୁଆ ପବନ
ଦେହ ଯେବେ ଛୁଇଁ ଯାଏ,
ଶତ ନିଦାଘର ପ୍ରହାରର ଦାଗ
କ୍ଷଣକରେ ଲିଭି ଯାଏ।
ହାଏ ସେ ମୌସୁମୀ କି ମନ୍ତର କଲା
ମନରେ ଲାଗିଲା ନିଆଁ,
କିଏସେ କେଜାଣି ଛାଡ଼ି ଦେଇ ଗଲା
ଆଷାଢୀ ପ୍ରୀତିର ଛୁଆଁ।
ଅଭିମାନ ଯେତେ ଧୋଇ ଗଲା କାହିଁ
ବାକି ଥିଲା ବୈଶାଖର,
ଓଳି ତଳେ ଖେଳେ ପାଣି ଫୋଟକାର
ଆନନ୍ଦେ ଭରା ଆସର।
କେଜାଣି ସେ ଆଶା ବତୀ ଜଳୁଥାଏ
ଭିଜି ବରଷାର ଧାରେ,
ସରିଯିବ କାଳେ ସମୟ ବୋଲି ମୁଁ
ଦିନ ଗଣେ ବାରଣ୍ଡାରେ।
ଦହଗଞ୍ଜ ଯେତେ ପ୍ରାକ୍ ମୌସୁମୀର
ଛାଡ଼ି ଯାଇଥିଲା କ୍ଷତ,
ଭରି ଆସେ ଧୀରେ ଧୀରେ କିନ୍ତୁ
ଭିତରେ ଜଳୁଛି ଚିତ୍ତ।
ଦହଗଞ୍ଜ କେଉଁ ଜୀବନେ ତଥାପି
ହେଲାଣି କି ଉପଶମ,
ଦେହ ସିନା ଥରେ କାଲୁଆ ପବନେ
ଭିତରେ ଜଳେ ମରମ।
ତଥାପି ଜଳୁଛି ମେଘୁଆ ଆଶାଟେ
ଯନ୍ତ୍ରଣାର ଅଗଣାରେ,
ଆସ୍ୱସ୍ତିର ଅସରାଏ ବର୍ଷା ହେବ
ମନ ପ୍ରାଣ ପ୍ରତୀକ୍ଷାରେ।