ଅଧରାତିର କବିତା
ଅଧରାତିର କବିତା
ଆଜି ସରିଲାଣି କାଲିଟେ ଆସୁଛି
ଜହ୍ନ ବଖାଣେ ତା ବ୍ୟଥା,
ନିଦର ଶେଯରେ ଶୋଇ ମୁଁ ଲେଖୁଛି
ଅଧ ରାତିର କବିତା।
ଛାତିର ସ୍ପନ୍ଦନ ଘଣ୍ଟା କଣ୍ଟା ତାଳେ
ବଜାଏ ମାଦଲ ଧୀରେ,
ଶ୍ୱାସରେ ଶ୍ଵାସରେ ସାରେଗାମା ଶୁଭେ
ବୁଡେ ମୁଁ ମୋ ଭାବନାରେ।
ଚିନ୍ତା ସବୁ ଠୁଳ ହୋଇ ଚେତନାରେ
କରି ଦ୍ୟନ୍ତି ଆନମନା,
ସ୍ଵପ୍ନ ମାନେ ଆସି କରାଘାତ କରି
ଭରନ୍ତି ହୃଦେ ଶୋଚନା।
ଏଇ ସେ ମୁହୂର୍ତ୍ତ ନିଜ ପାଖେ ନିଜେ
ବସିବାକୁ କେଇ ଘଡି,
ନିଜ କଥା ନିଜେ ଶୁଣିବାକୁ କାହିଁ
ମିଳି ନାହିଁ ଦୁଇ ଘଡି।
କଂକ୍ରିଟ ଆକାଶ ପୃଷ୍ଠରେ ମୁଁ ଦେଖେ
ଜୀବନର ପ୍ରତିଛବି,
ଖଦ୍ୟୋତଟେ କାହୁଁ ଉଡ଼ିଆସି ଭାଙ୍ଗେ
କଳ୍ପନାର ଜଳଛବି।
ସବୁ ଅନୁତାପ ମନସ୍ତାପ ଯେତେ
ଉଙ୍କି ମାରେ ହୃଦୟରେ,
କାଲି ପାଇଁ କିଛି ଯୋଜନା ସାଇତେ
ଆଖି ପତା ଶେଷେ ପଡ଼େ।
ଏଇ ରାତି ନୁହେଁ ଇତି ଅଧ୍ୟାୟର
ଆଦ୍ୟ ଏକ ଭବିଷ୍ୟର,
ଆଜିର ଭାଵନା ଫୁଲ ହୋଇ ଫୁଟେ
ମହକାଇ ଭୁମଣ୍ଡଳ।
କେହି ପଢ଼ିବ କି ନାହିଁ ମୁଁ ଜାଣେନା
ମୋ ଅଧ ରାତିର କବିତା
ମୁଁ କିନ୍ତୁ ଲେଖୁଛି ଲେଖି ଚାଲିଥିବି
ମୋ ସହ ମୋ ଯେତେ କଥା।
ରାତି ନୁହେଁ ଏ ମୋ ନିଜସ୍ଵ ଋତୁଟେ
ଯେମିତି ପାରେ ମୁଁ ଜିଏଁ,
ଆହତ ଆଶା ଓ ଅଙ୍କୁରିତ ସ୍ଵପ୍ନ
ଆବୋରି ଧରି ମୁଁ ଶୁଏ।