ଧୂସର କିଛି ଇଚ୍ଛା
ଧୂସର କିଛି ଇଚ୍ଛା
ମୁଁ ଇଚ୍ଛା କରେ, ସ୍ଵପ୍ନ ଦେଖେ
ଓ ସେଥିରେ ରଙ୍ଗ ମାଖେ
ମୋ ମନ ମୁତାବକ
ଜୀବନର କାନଭାସ୍ ରେ
ଭାବନାର ରଙ୍ଗତୁଳୀ ଧରି।
କିଛି ଇଚ୍ଛା ପୂର୍ଣଗର୍ଭା ହୋଇ
ମିଶିଯାନ୍ତି ସାଗର ସଙ୍ଗମେ,
କିଛି ଇଚ୍ଛା ଲୁଚିଯାନ୍ତି
ତତଲା ଦୀର୍ଘଶ୍ୱାସ ଛାଡ଼ି
ଉର୍ଦ୍ଧ୍ବ ମୁଖି ବାଲୁକା ଶଯ୍ୟାରେ।
କେବେ ଜୀବନ ଜୀବନ୍ୟାସ ପାଇ
ଜୀଇଁ ଉଠେ ଅଧା ବିଦାୟରୁ
କେଉଁ ଏକ ସଂଗୋପାନେ
ଲୁପ୍ତ ପ୍ରାୟ ସଳିତାରେ
ଲାଗିଯାଏ ଅଗ୍ନିକଣା ଯେବେ,
ଅନାବନା ରଙ୍ଗ ସବୁ ମୁଖର ହୁଅନ୍ତି
କିଛି ଆଶ୍ୱସ୍ତି ଓ କିଛି ଗାଢ଼ ଅହଙ୍କାରେ।
ମାୟାର ସଘନ ସାନ୍ଧ୍ରତ
ଓ ମୋହର ଅତିରିକ୍ତ ତୀବ୍ରତା
ସବୁକିଛି ଯେମିତି ଅଭ୍ୟସ୍ତ ହୋଇଯାଏ
ଇଚ୍ଛା ମାନଙ୍କର ସମୂହ ପ୍ରଲୋଭନରେ,
ସନ୍ତସନ୍ତିଆ ସୁଖମାନେ
ଏଣେ ତେଣେ ଘାଣ୍ଟି ହୁଅନ୍ତି ଆନମନା ହୋଇ
ରାସ୍ତା ସାରା ବିଛେଇ ହୋଇ ପଡ଼ିଥିବା
ଉଦାସୀ କାଦୁଆ ଶଯ୍ୟାରେ।
ଏ ସବୁ ଭିତରେ
ମୋ ଭିତରର ଅସଂଖ୍ୟ ଇଚ୍ଛା ମାନେ
ଧୂଳି ଖେଳ ପରି ଧୂସର ପାଲଟନ୍ତି
ଖୁବ୍ ଚଗଲାମି କରନ୍ତି
ଦରୋଟି ଭାଷାରେ ବାଟ ବଣା କରନ୍ତି
ଓ ବଢ଼ି ଚାଲନ୍ତି ଏକ ଅଚିହ୍ନା ହିମାଦ୍ରି ଦିଶାରେ
ହଜେଇ ଦିଅନ୍ତି ମୋତେ କେମିତି ଏକ
ଅବ୍ୟକ୍ତ ଅଥଚ ଖୁବ୍ ଆକର୍ଷକ ମହୁଆ ନିଶାରେ
ଆଉ ମୋ ଭିତରର ବୋକାମି
ଗୋଳି ହେଉଥାଏ, ରୁନ୍ଧି ହେଉ ଥାଏ
ବାଟ ସାରା ସେଇ
ଅପରିତ୍ୟକ୍ତ ଅମଡ଼ା ପ୍ରାନ୍ତରେ।