ତୁମେ ଅଛ ବୋଲି
ତୁମେ ଅଛ ବୋଲି
ନିଷ୍ଫଳ ଆଶାନେଇ ପହଁରାଉ ଥିବା ଦୃଷ୍ଟି ମାନଙ୍କୁ ମୁଁ ଠକି
ଆଖିର କଜଳଗାର ଅନୁରୂପେ ଦେଇଛି ତୁମକୁ ଲେପି
ବଡିଭୋରୁ ନେଇ ଦିନ ଗୋଟାକ ମୋ ଘଡିକରେ ଯାଏ ପାହି
ନୀଡେ କାଠି, କୁଟା, ଜିଆ ବା କୋଚିଆ, ଖଞ୍ଜୁ ଖଞ୍ଜୁ ଥକେ ମୁଁହି
ଥକି ଭୁଲିଯାଏ ଡେଣା ଝାଡ଼ିବାକୁ ଆଉ ମୋର ବଳନାହିଁ
ଭଲ ପାଇବାରେ ଭିଜୁଥାଏ ମନ ନିରନ୍ତର କାହାପାଇଁ
ମଧୁଝରା କଥା ପାତିଥାଏ କାନ ସ୍ନେହ ଜତନେ ବତୁରି
ଚାବିଦିଆ ମୁଁହି କଣ୍ଢେଇଟେ ନୁହେଁ ମନୋରଞ୍ଜନ ଯେ ସବୁରି
ଭଲ ପାଇବାର କଣ୍ଟକିତ ପଥେ ଚଳିବା ପଛକେ ଶ୍ରେୟ
ପ୍ରାସାଦର ତୁଳି ତଳ୍ପ ମୋତେ ଆଜି କରାଇ ଅଛି ଅଥୟ
ମାଟିର ଅଙ୍ଗମୋ ପୁଷ୍ପ ଦୁବଘାସ ସଜାଇ ପାରିବ ତହିଁରେ?
ହୀରା,ନୀଳା, ସୁନା, ଅଳଙ୍କାର ମୋର ଲୋଡ଼ାନାହିଁ ଏ ମହିରେ
ଭଲ ପାଇବାଠୁଁ ମୂଲ୍ୟବାନ ଯେହୁଁ ନାହିଁ କୌଣସି ସମ୍ପଦ
ପାଇଗଲା ଯିଏ ସହିଯିବ ସିଏ ସବୁ ନିନ୍ଦା ଅପବାଦ ।