STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

1 min
334


ଚାନ୍ଦ ନା ତୁମେ ତାରା  ରୂପେ ଲାଗ ନିଆରା

     ଝଟକି ଉଠେ ତୁମ ଆଭା,

ସୁନ୍ଦର ତନୁଲତା    ମୁଖଶ୍ରୀ ସରସତା

      ପ୍ରକାଶେ ଦୀପ୍ତିମାନ ଆଭା,

      ଫଗୁଣ ଫଗୁ ପରି ଶୋଭା

       ବିକଶି ଉଠିଛି ପ୍ରତିଭା,

ଅନୁପମ ଲାବଣ୍ୟ    ଆକର୍ଷଇ ତାରୁଣ୍ୟ

    ଦର୍ଶକ ଜନ ମନୋଲୋଭା।


ଚାରୁ ଚ଼ନ୍ଦ୍ର ବଦନୀ   ଅମା ହୀନ ରଜନୀ

      ପ୍ରାୟେକ ଲାଗଇ ଦର୍ଶନେ,

ଚାଲି ଗଜ ଗମନୀ    ଦୃଷ୍ଟି ମୃଗ ନୟନୀ

     ତରଙ୍ଗ ଖେଳୁଛି ଯୌବନେ,

       ବିଜୁଳି ସମାନ ଝଟକ

       ଆଖି ରୁହଇ ଅପଲକ,

ଭବେ ଭାବ ଉଛୁଳେ ଚିନ୍ତା ଚେତନା ମେଳେ

     ସ୍ତବ୍ଧ ମୁଗ୍ଧ ହୁଏ ଭାବୁକ।


ଟଣା ଟଣା ସେ ଆଖି କଜ୍ଜଳ ଗା'ରେ ଲାଖି

      ଦିଶୁଛି ଚିଲିକା ସଦୃଶ,

ଭ୍ରୃଲତା ଯେ ଯୋଡ଼ିଏ ଉଡନ୍ତା ପକ୍ଷୀ ପ୍ରାୟେ,

     ଓଠେ ଫୁଟାଫୁଲର ହସ,

     ବହେ କଳ୍ପନାର ଝରଣା

     ତୋଳଇ ମଧୁର ମୂର୍ଚ୍ଛନା, 

ବିନା ମାଦକେ ନିଶା  ମନେ ଅଙ୍କୁରେ ଆଶା

    ବିରହେ ବିଦଗ୍ଧ ଭାବନା।


ଅନିନ୍ଦ୍ୟ ରୂପକାନ୍ତି    ବର୍ଣ୍ଣନେ ଅସରନ୍ତି

     ଉପମା ହୁଏନା ଯଥେଷ୍ଟ ,

ଚାନ୍ଦ ପରି ଝଲସ   ତାରା ଭଳି ପ୍ରକାଶ 

     ଦେଖି ଲାଗେ ଭାରି ସନ୍ତୁଷ୍ଟ ,

     ପ୍ରେମୀ ମନ ହୁଏ ତଲ୍ଲୀନ

    ଲହରୀ ଖେଳେ ତା' ସପନ,

କୋଟିଏରେ ଗୋଟିଏ କହେ ଦେଖଇ ଯିଏ

     ସାର୍ଥକ ତୁମର ଜୀବନ।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance