କବିତା - ଜିଇଁବାକୁ ହେବ
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୩-୨୦୨୫
ଜୀବନର ଲକ୍ଷ୍ୟ ଖୋଜୁ ଖୋଜୁ
ବହୁତ ଦୂର ଆସିଗଲେ
ଜୀବନରେ ସଫଳତା ମାପୁ ମାପୁ
ଅନେକ ଦୂର ଟାଣିହେଲେ
କାହିଁ ସେ ଇପ୍ସିତ ଜୀବନ ?
କାହିଁ ସେ କଳ୍ପିତ ଜୀବନ ?
ବୋଧେ
ଅନୁଭବର ଓଜନିଆ ଗଣ୍ଠିଲି
ଭିତରେ ଦବି ଯାଇଛି ଯେ
ଶାନ୍ତି ପ୍ରଶାନ୍ତି ସବୁ ଫେରାର୍
ହସ ଖୁସି ବି ଅଲଣା ଏକପ୍ରକାର
ସ୍ବପ୍ନିଳ ଜୀବନ ଏଠି
ସ୍ୱପ୍ନମୟ ବାସ୍ନାମୟ
ମିଛର ସହର ଏଠି
ଅଭିନୟରେ ବ୍ୟସ୍ତ ସମୟ
ଲୋକ ଦେଖାଣିଆ ଆଚାର ବ୍ୟବହାରରେ
ସମସ୍ତେ ସର୍ବତ୍ର ଅଧୈଯ୍ୟ ଅଥୟ
ଗାଁ ଛାଡି ସହରରେ ବସା ବାନ୍ଧିଲେ
ନାଁ ଗାଁର ହେଲେ
ନାଁ ସହରର ହୋଇ ପାରିଲେ
ଗାଁରେ ରହିବାକୁ ରୋଜଗାର ବିନା
ସମୟ ବସେଇ ଦେଲା କି ?
ସହରରେ କାମ ବିନା ବସିବାକୁ
ବ୍ୟସ୍ତତା ରଖେଇ ଦେଲା କି ?
ସାଙ୍ଗ ଜଣେ ପଚାରି ଦେଲା
ବନ୍ଧୁମିଳନ ପର୍ବର ଶେଷ ଆଡ଼କୁ
ତୁ ଏତେ ବ୍ୟସ୍ତତା ଭିତରେ
ଗାଁର ଖବର ସବୁ କେମିତି ଜାଣୁଛ
ତୁ ଏତେ କାର୍ଯ୍ୟଚାପ ମଧ୍ୟରେ
ସହରର ଗଳି କନ୍ଦିର ଘଟଣା ସ୍ଥଳରେ
ପହଞ୍ଚି ପାରୁଛ
ସମସ୍ତଙ୍କ ସହିତ ସୂଚନା ପ୍ରସାରଣ
କେମିତି କରି ପାରୁଛ
ସେହି ସୂକ୍ଷ୍ମାତିସୂଷ୍ମ ଉପାୟରୁ କାଣିଚାଏ
ସେହି ସମୟୋପଯୋଗୀ ମହୌଷଧିରୁ ଠିପାଏ ଟୋପାଏ
ସେହି ସହଜଲବ୍ଧ ଆପଣେଇ ନେବାର ମାର୍ଗରୁ ଚେନାଏ
କହିଲେ ଚିରୋପକୃତ ହୁଅନ୍ତା
ଏ ଦୀନ ହୀନ ଅକିଞ୍ଚନ ବନ୍ଧୁର ବନ୍ଧୁକ
ବିନ୍ଧି ପାରନ୍ତା ଅତ୍ୟନ୍ତ
ସମୟ ସୁବିଧା ଦେଖି ଲଗେଇ କୁହୁକ
କୁହାମୁଣ୍ଡା କପିଳା
କଥନୀରେ କାହିଁକି ପଛେଇବା
ମୁରୁକି ଦେଇ କହିଦେଲି
ଜୀବନ ଗାଡିର ସାଇଡ଼ ଆଇନା ବାହାର କରିଦେବୁ
ପଛରେ ଛାଡି ଆସୁଥିବା ଗ୍ରାମପଥ
ଧାଉଁଥିବା ଗଛ ତଥା ଧୂଳିକଣା
ପଛରେ ଗାଳି ଦେଉଥିବା ବ୍ୟକ୍ତି
ଅସୂୟା ଭାବନା ମାର୍ଜଣା
ଦେଖିବାର ନାହିଁ କି
ଶୁଣିବାର ନାହିଁ
ପଛେଇ ଗଲେ ଅକଥନୀୟ ଅତୀତ
ଜାଣିବାର ନାହିଁ
ଆଗେଇ ଗଲେ ସୁନେଲି ବର୍ତ୍ତମାନ
କୋଳେଇ ନେବାରେ ହେଳା ନାହିଁ
ମୁଣ୍ଡ ଟୁଙ୍ଗାରି ସମର୍ଥନ କରୁଥିଲା
ମୁଚୁକି ହସୁଥିଲା
ବୋଧେ
ଅଭିନୟପଟୁ ସାଙ୍ଗ ମୋର
ଅନ୍ୟ ଏକ ଅନାବିସ୍କୃତ
କଳା ଆପଣେଇ ନେଲା
ଜୀବନ ଜୀଇଁବାକୁ ହେବ
ନିଜ ଶୈଳୀରେ ଉଲ୍ଲାସରେ
ଅଭିନୟ କଲେ କେବଳ
କ୍ଷଣିକ ଆନନ୍ଦ ମିଳିପାରେ