STORYMIRROR

Chinmaya Kumar Sahoo

Abstract Tragedy Others

4  

Chinmaya Kumar Sahoo

Abstract Tragedy Others

ଜୀବନରେ ଜୀବନ

ଜୀବନରେ ଜୀବନ

1 min
313

କେତେ ଦଶା ସତେ ମହାମାରୀ କଲା

ଜୀବନ ଜୀବିକା ମାରି

ଯାହା କିଛି ଥିଲା ଦରଭଙ୍ଗା ସ୍ବପ୍ନ

ବାତ୍ୟା ଦେଲା ତାକୁ ସାରି।


ବେଡି ଉପରେ କୋରଡା ସଦୃଶ

କୋରନା ଉପରେ ବାତ୍ୟା

ଦଇବ ସତେକି ପଥର ସାଜିଛି

ଦେଖୁଛି ନୃଶଂସ ହତ୍ୟା।


ପ୍ରଦୂଷଣ ସହ ଗ୍ଲୋବାଲ ୱାର୍ମିଙ୍ଗ

ସମୁଦ୍ର ଆସୁଛି ମାଡି

ଗ୍ଲେସିଅର ତରଳେ ହିମାଳୟେ ପୁଣି

ବଜ୍ରପାତ କରେ ରଡି।


ଆଧୁନିକତାର ଆଧିପତ୍ୟ ବଳେ

ଅହଙ୍କାରୀ ହେଲେ ଲୋକ

ପ୍ରକୃତି ରାଗିକି ପ୍ରତିଶୋଧ ନିଏ

ଦେଖାଏ ପ୍ରକୃତ ରୂପ।


ପ୍ରତିବର୍ଷ ଓଡିଶାକୁ ଦୁର୍ବିପାକ

ଥାଏ ବନ୍ୟା ବାତ୍ୟା ଡର

ଅତି କମରେ ଥରେ ନିଶ୍ଚେ ବୁଲି ଆସି

କରିଦିଏ ଛାର ଖାର ।


ଆତ୍ମୀୟ ସ୍ଵଜନ ହରାଏ କିଏସେ

ଭାଙ୍ଗିଯାଏ କା'ର ଘର

ଜୀବିକା ପାସୋରି ଜୀବନକୁ ଧରି

ଭିଟାମାଟି କରେ ପର।


ଭୋକିଲା ପେଟକୁ ଉଜୁଡା ସଂସାର

ଗରିବ ମୁଣ୍ଡେ ଚଡକ

ଅଭାଗା ମଣିଷ ଭାଗ୍ୟକୁ ଆଦରି

ସହିଯାଏ ସବୁ ଶୋକ।


ବରଷେ ହେଲାଣି ଗୃହବନ୍ଦୀ ହେଇ

ଦୁର୍ଦଶା ଅସମ୍ଭାଳ

ଜଳବନ୍ଦୀ କରି ନିଜ ଘରୁ କାଢି

ପ୍ରକୃତି ଖେଳୁଛି ଖେଳ ।


ପ୍ରଶାସନ ସିନା ମାଗଣା ବାଣ୍ଟିଲା

ଚାଉଳ, ଗହମ, ଡାଲି

ସଂସାରଟି ଅବା ଚାଲି କି ପାରିବ

ଖାଲି ଜଳୁଥିଲେ ଚୁଲି?


ଜୀବନ ଜୀବିକା ଦୁହିଁଙ୍କୁ ହରାଇ

ଗରିବ ମଥାରେ ହାତ

ଦରଭଙ୍ଗା ସ୍ବପ୍ନ ପୂରା କି କରିବ

ସରକାର ଙ୍କ ମାଗଣା ଭାତ।


ଯୋଜନା ପରେ ଯୋଜନା କରି

ପ୍ରଶାସନ ଟେକେ ହାତ

ହେଲେ ସେ ଘୋଷଣା ଗଢି ପାରିବତ

ଖଟିଖିଆ ଙ୍କ ଭବିଷ୍ୟତ ?


ପ୍ରକୃତି ଜାଣେନି ଧନୀ କି ଗରିବ ,

ସଭିଙ୍କୁ ଦେଖେ ସମାନ

ହେଲେ ଏ ସମାଜ ପ୍ରମାଣ କରୁଛି ,

ଦରିଦ୍ର ର ନାହିଁ ସ୍ଥାନ।


ପ୍ରକୃତିର ଲୀଳା ସତରେ ବିଚିତ୍ର

ବଦଳାଇ ଦିଏ ଚିତ୍ର

ତଥାପି ଦମ୍ଭରେ ମୁକାବିଲା କରି

ଅକ୍ଷୁର୍ଣ୍ଣ ଆମ ମାନଚିତ୍ର।


ଲଢ଼ି ଲଢ଼ି ସିନା ସାହସୀ ଓଡ଼ିଆ

ଶକ୍ତ ଆମ ମେରୁଦଣ୍ଡ

ବିପତ୍ତି ପଡିଲେ ପାଷାଣ ସାଜିବୁ

ନୂଆଇଁବୁ ନାହିଁ ମୁଣ୍ଡ।


ଇତିହାସ ଲେଖା ସ୍ବର୍ଣ୍ଣାକ୍ଷରେ ଆମ

ଆଙ୍କୁ ହାତେ ଭାଗ୍ୟରେଖା

ଓଡ଼ିଆଙ୍କ ଧୈର୍ଯ୍ୟ ଓଡ଼ିଶାର ଗର୍ବ

ଦୁନିଆକୁ ଡାକି ଦେଖା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract