STORYMIRROR

Chinmaya Kumar Sahoo

Abstract Inspirational Others

3  

Chinmaya Kumar Sahoo

Abstract Inspirational Others

ପୁରୁଷ

ପୁରୁଷ

1 min
241

ଏ ଶବ୍ଦର ସଂଜ୍ଞା ଖୋଜିବାକୁ ବୋଧେ 

ଅନେକେ ଅନେକ ଚେଷ୍ଟା କରିଥିବେ

କାହା ପାଇଁ ସମାଜରେ 

ନାରୀର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି,

ସନ୍ତାନର ମେରୁଦଣ୍ଡ , ଭଉଣୀର ଆତ୍ମବିଶ୍ବାସ, 

ତ ପରିଣତ ବୟସରେ ପିତା ମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି


ଏମିତି ଏକ ଶବ୍ଦ

ସମ୍ପୂର୍ଣ୍ଣ ରଚନାଟେ ହେଇ ବର୍ଣ୍ଣିତ ବି ହେଇପାରେ

କିନ୍ତୁ ବିନା ଉଦ୍ଧୃତାଂଶରେ, ଶବ୍ଦ ହୀନ, ଅର୍ଥ ହୀନ ଆଉ ଭାବ ହୀନ

ଯିଏ ପାଣି ପରି ଜୀବନ ତ ବଞ୍ଚେଇ ପାରେ

କିନ୍ତୁ ସାରା ଜୀବନ ବର୍ଣ୍ଣହୀନ, ବାସ୍ନାହୀନ ଆଉ ସ୍ୱାଦ ହୀନ

ନିଜ କର୍ମରେ ତେଜିୟାନ, ନିଜ ତ୍ୟାଗରେ ବଳିୟାନ

ଆଉ ନିଜ ଧୈର୍ଯ୍ୟରେ ମହିୟାନ।


ଏମିତି ଏକ ଭାବ

ଯାହାକୁ ପ୍ରକାଶ କରିବା ମନା

ନିଜକୁ ଦୁର୍ବଳ କରିବା ମନା, ଛାତି ଫଟେଇ କାନ୍ଦିବା ବି ମନା

ଆଖିର ଲୁହକୁ ଆଖିପତାର ଏରୁଣ୍ଡି ଡେଇଁବା ମନା

ମନର କୋହକୁ ଛାତିର ଅଭେଦ୍ୟ ପ୍ରାଚୀର ଡେଇଁବା ମନା

ଛେପ ଢ଼ୋକି ପଛେ ସ୍ମିତହାସ୍ୟ କରୁ

କିନ୍ତୁ ଅନ୍ତରର ଡରକୁ ଓଠର ଶିକୁଳି ଖୋଲିବା ମନା


ଏମିତି ଏକ ସ୍ୱର

ଯାହାର ସ୍ୱତନ୍ତ୍ରତା ହେଉଛି ତା ନୀରବତା

ଶହେ ରାଗର ରାଗିଣୀରେ ଅଳଙ୍କୃତ ଭିନ୍ନ ଏକ କବିତା

କଠୋର ସାଧନାର ଉପଲବ୍ଧି - ପୁରୁଷାର୍ଥର ସଂହିତା

ଯାହାକୁ ଶୁଣିବା ପାଇଁ ଦରଦୀ ହୃଦୟଟେ ଲୋଡ଼ା

କୋଳାହଳରୁ ବହୁ ଉର୍ଦ୍ଧ୍ବରେ ଏକାନ୍ତରେ 

ଆଖି ସହ ଆଖି ମିଶେଇ ପଢି ପାରୁଥିବ ତା ହୃତସ୍ପନ୍ଦନର ଗୀତା


ଏମିତି ଏକ ଅନୁଭୂତି

ଯେଉଁ ତ୍ୟାଗରେ ଥାଏ ଅନନ୍ୟ ଆତ୍ମସନ୍ତୁଷ୍ଟି

ଯେଉଁ କର୍ମରେ ଥାଏ ଅନନ୍ୟ ଆତ୍ମସିଦ୍ଧି ଆଉ

ଯେଉଁ ଧୈର୍ଯ୍ୟରେ ଥାଏ ଅସୀମ ଆତ୍ମବିଶ୍ବାସ

ନାରୀର ନାରୀତ୍ବକୁ ଅଖଣ୍ଡ ରଖିବାରେ, 

ସନ୍ତାନର ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବାରେ

ଆଉ ସମାଜର ସ୍ୱାଭିମାନକୁ ଏକ ଶକ୍ତ କାନ୍ଧର ସାହାରା ଦେବାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract