କବି ଓ କବିତା
କବି ଓ କବିତା
କବି ଓ କବିତାର ସମ୍ପର୍କ -
ଯେମିତି ବର୍ଷା ଆଉ ଇନ୍ଦ୍ରଧନୁ,
ତତଲା ଝାଞ୍ଜି ଆଉ ଖଣ୍ଡିଆ ଭୂତ
ବର୍ଷା ସବୁବେଳେ ହୁଏ, କିନ୍ତୁ ଇନ୍ଦ୍ରଧନୁ ତା ଇଚ୍ଛାରେ ସାତରଙ୍ଗ ଖେଳାଏ
ଝାଞ୍ଜି ସବୁବେଳେ ବହେ କିନ୍ତୁ ଖଣ୍ଡିଆ ଭୂତ ତା ଇଚ୍ଛାରେ ପ୍ରକଟ ହୁଏ।
ସେମିତି କବିଟେ ସବୁବେଳେ ଲେଖିବାକୁ ଚାହେଁ,
କିନ୍ତୁ କବିତା ତା ଇଚ୍ଛାରେ ଲେଖି ହୁଏ।
କବିତା ଭାରି ଅଭିମାନୀ
ଅସମୟରେ ଆସି କବିର ରାସ୍ତା ଓଗାଳେ।
ପତଳା ନିଦରେ ଶୋଇଥିଲା ବେଳେ,
କେବେ ଏକାନ୍ତରେ ପ୍ରକୃତିକୁ ଉପଭୋଗ କଲା ବେଳେ
କିମ୍ବା ନିଜ କର୍ମମୟ ଜୀବନରେ ବ୍ୟସ୍ତ ଥିଲା ବେଳେ
କବିକୁ ଲାଚାର କରିଦିଏ ତା ଠୁ ମୁହଁ ମୋଡ଼ିବା ପାଇଁ
ହେଲେ ଥରେ କବିଟି ପଛକୁ ଫେରିଗଲେ
ଆଉ ଧରା ଛୁଆଁ ଦିଏନି ସହଜେ
କବିତା ରୁଷେ । ଆଉ ରୁଷିକି ଫେରିଯାଏ ।
ପରେ ଯେତେବେଳେ କବିଟି ନିଜ ସୁବିଧାରେ ଖୋଜେ ତାକୁ
ଯେତେ ନେହୁରା ହେଲେ ବି ସେ ଆଉ ଆସେନି।
ସେମିତି ଖାତା, କଲମ ଖୋଲା ହେଇ ପଡି ରୁହେ
ଦି ଧାଡି ଲେଖା ହବା ଅପେକ୍ଷାରେ
ସମୟ ଗଡି ଚାଲେ ସିନା
କିନ୍ତୁ ଶବ୍ଦଟିଏ ବି ଲେଖି ହୁଏନି
ସତରେ କବିତା ଭାରି ସ୍ୱାଭିମାନୀ।
ସେ ଆସିଲା ବେଳେ ତାକୁ ଆନନ୍ଦରେ କୋଳେଇନେଲେ
ଗୋଟା ପଣେ ନିଜର ଲାଗେ।
କବିକୁ ଆତ୍ମସନ୍ତୁଷ୍ଟିରେ ପରିପୂର୍ଣ୍ଣ କରିଦିଏ।
ନହେଲେ ନିଜକୁ ଅସମୟରେ ସମୟ ଗର୍ଭରେ
ଲୀନ କରିବାରେ ସେ ସିଦ୍ଧହସ୍ତ।