STORYMIRROR

Chinmaya Kumar Sahoo

Inspirational

4  

Chinmaya Kumar Sahoo

Inspirational

ଝରକା

ଝରକା

1 min
360

ଏପାଖେ ଅସଂଖ୍ୟ ତାରାଙ୍କ ସମ୍ଭାର

ସେପାଖେ ସୁନ୍ଦର ସଂସାର

ମଝିରେ ସବୁ ଦେଖୁଥାଏ ଝରକା

କେତେବେଳେ ସଂସାରର ସ୍ବପ୍ନ ସବୁ ତାରାଙ୍କୁ ହାତ ବଢ଼େଇ ଡାକନ୍ତି

କେତେବେଳେ ତାରା ମାନେ ସଂସାର ର ମୋହମାୟା କୁ ଝୁରନ୍ତି।

କିନ୍ତୁ ସେମିତି ଅଟଳ, ନିଶ୍ଚଳ ଥାଏ ଝରକା


ଏପାଖେ ଥାଏ ମୁକ୍ତି ଆଉ ସ୍ୱାଧୀନତା

ସେପାଖେ ଥାଏ ବନ୍ଦୀର ନିରବତା

ମଝିରେ ପାଚେରୀ ସାଜେ ଝରକା

କେତେବେଳେ ତତଲା ଝାଞ୍ଜି ମାଡରେ ତୃଷାର୍ତ୍ତ ହେଇଉଠେ

କେତେବେଳେ କଏଦୀଙ୍କ ଗରମ ନିଃଶ୍ୱାସରେ ଚିହିଁକି ଉଠେ।

କିନ୍ତୁ ସେମିତି ଶାନ୍ତ, ଶୀତଳ ଥାଏ ଝରକା


ଏପାଖଟା ପ୍ରାକୃତିକ

ସେପାଖଟା ମନୁଷ୍ୟକୃତ

ମଝିରେ ଜଗୁଆଳୀ ସାଜେ ଝରକା

କେତେବେଳେ ପିଞ୍ଜରାକୁ ପ୍ରକୃତି ଦାଉରୁ ସାହା ହୁଏ

କେତେବେଳେ ପ୍ରକୃତିକୁ ପିଞ୍ଜରା ଭିତରକୁ ବାଟ ଦେଖାଏ।

କିନ୍ତୁ ସେମିତି ଜାଗ୍ରତ ହେଇ ଚାହିଁ ରହିଥାଏ ଝରକା


ଏପାଖେ ବାସ୍ତବ ମାନେ ସ୍ବପ୍ନ ଦେଖୁଥାନ୍ତି

ସେପାଖେ ସ୍ବପ୍ନ ମାନେ ବାସ୍ତବତା ଖୋଜୁଥାନ୍ତି

ମଝିରେ ଦ୍ଵନ୍ଦ୍ୱରେ ରୁହେ ଝରକା

କେତେବେଳେ ଅମାବାସ୍ୟା ଅନ୍ଧାରରେ ଜହ୍ନକୁ ସପନ ଦେଖେ

କେତେବେଳେ ପୂର୍ଣ୍ଣିମାର ଜହ୍ନକୁ ବି ସଂସାରଠୁ ଲୁଚେଇ ରଖେ

କିନ୍ତୁ ସେମିତି ନିରବଦ୍ରଷ୍ଟା ସାଜେ ଝରକା


ଏପାଖେ ଅନନ୍ତ ଆକାଶ

ସେପାଖେ ସଂସାରୀଙ୍କ ଅତୃପ୍ତ ଶୋଷ

ମଝିରେ ନିକିତି ସାଜେ ଝରକା

କେତେବେଳେ ଶୋଷରେ ଟିକେ ସ୍ବପ୍ନ ମିଶେଇ ବଞ୍ଚିବା ଶିଖାଏ

କେତେବେଳେ ସ୍ବପ୍ନରେ ଟିକେ ଶୋଷ ମିଶେଇ ଲଢ଼ିବା ଶିଖାଏ

ସତରେ ଜୀବନକୁ ଅତି ପାଖରୁ ଜୀଏଁ ଝରକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational