ବାପା
ବାପା
ସବୁ ଦୁଃଖ ଯିଏ ଆଦରି ନିଅନ୍ତି
ଦିନେ ହୁଅନ୍ତିନି ଖପା
ସବୁ କଷ୍ଟ ଯିଏ ମୁଣ୍ଡେଇ ଚାଲନ୍ତି
ମୁଣ୍ଡରୁ ପାଦ ତଳିପା
ସିଏ, ସିଏ ପରା ଆମ ବାପା ।
ଅକଳନ୍ତା ପ୍ରେମ ସ୍ନେହର ବାରିଧି
କେଉଁଥିରେ ନୁହେଁ ମପା
ତାଙ୍କ ପାଶେ ପିଲା ସୁନା ମୁଣ୍ଡା ପରା
ଭାବନ୍ତିନି କେବେ ରୂପା
ସିଏ, ସିଏ ପରା ଆମ ବାପା ।
ଆକଟ କରି ସେ କହୁଥାନ୍ତି କେତେ
ଅନ୍ତରଟା ସଦା ସଫା
ଭଲ ମଣିଷଟେ ଗଢି ତୋଳିବାରେ
ନୀତି ବାଣୀର ସେ ଛାପା
ସିଏ, ସିଏ ପରା ଆମ ବାପା ।
ବୁଲାଇ ନିଅନ୍ତି ମେଳା ମଉଛବେ
ଦେଖାଇ ତ ଅନୁକମ୍ପା
ଭୁଲ ଟିକେ ଦେଖି ରାଗି ଯାଉଥାନ୍ତି
ସେଇ ରାଗ ତାଙ୍କ ଫମ୍ପା
ସିଏ, ସିଏ ପରା ଆମ ବାପା ।
ସନ୍ତାନ ଆଖିରେ ଆଇନ ଆଗରେ
ଲାଗୁ ତାଙ୍କୁ ଯେତେ ଦଫା
ଜଳି ଜଳୁଥାନ୍ତି ଆଲୋକ ଦେଖାନ୍ତି
ଦୀପରେ ଯେହ୍ନେ ମାଲପା
ସିଏ, ସିଏ ପରା ଆମ ବାପା ।
ଜୀବନଟା ସାରା ଚରଣେ ପୂଜିବା
ଲଭିବାକୁ ତାଙ୍କ କୃପା
ବାପ ଥିଲା ପୁଅ ସଭାରେ ହାରେନି
ଦଫା ହୋଇଯାଏ ରଫା
ସିଏ, ସିଏ ପରା ଆମ ବାପା ।