STORYMIRROR

Krushna Chandra Lenka

Inspirational

4  

Krushna Chandra Lenka

Inspirational

ମନ

ମନ

1 min
492

ତୁଚ୍ଛା ଧନ ପାଇଁ ମନ ଅଛି ଧାଇଁ

 ଅବିରତ ରାତି ଦିନ 

ସେ ପାର୍ଥିବ ଧନେ କି' ଯଶ ଭୁବନେ

 ଯଦି ଶାନ୍ତି ନାହିଁ ମନ।


ମନ ବୋଲି ଯେଉଁ ଦୁଇଟି ଅକ୍ଷର

  ଲାଗେ ସିନା ଭାରି ସାଧା 

ଭାଳିଚ କି ଥରେ ସେ ଦୁଇ ଅକ୍ଷରେ

  ଉପୁଜଇ କେତେ ବାଧା।


ଖଣ୍ଡେ ରୁଟି ଖାଇ ଉଦର ପୂରଇ

  ଯହିଁ ଏଠି ଏ' ସଂସାରେ 

ମନ ବୁଝେ ନାହିଁ ସତେ ଯେ କିମ୍ପାଇଁ

 ଯେତେ ଭୁଞ୍ଜିଲେ ଉଦରେ।


ଛ' ହାତ ବସନ ଘୋଡାଏ ବଦନ

 ଏ' ମର୍ତ୍ତ୍ୟ ମଣ୍ଡଳେ ଯହିଁ 

ତଥାପି କିମ୍ପାଇଁ ଅବୁଝା ଏ ମନ

  ତିଳେ ହେଲେ ବୁଝେ ନାହିଁ।


ମୁଣ୍ଡ ଗୁଞ୍ଜିବାରେ ବଖରାଏ ଘର

 ଦିଅଇ ସୁରକ୍ଷା ଯେତେ 

ବିଶାଳ ଭବନ ଚାହୁଁଥାଏ ମନ

 କିମ୍ପାଇଁ ଏ ବିଶ୍ୱେ ସତେ!


ଦେହ କ୍ଷୁଧା ସିନା ମେଣ୍ଟିଯାଏ ଏଠି

  ଯେମନ୍ତ ସେମନ୍ତ ଭାବେ 

ମନ କ୍ଷୁଧା ମାତ୍ର ମେଣ୍ଟେ ନାହିଁ ତିଳେ

  ଯେତେ କାଳ ଜିଇଁଥିବେ।


ବାସ୍ତବ ଧନୀକ ଅଟେ ସେଇ ଲୋକ

  ସନ୍ତୋଷେ ଯେ' ଥାଏ ଭାଇ 

ଯେତେ ଧନ ପାଇ ଯେ' ବେଶୀ ଚାହଁଇ 

  ତାଠୁଁ ଦୀନ କେହି ନାହିଁ ।


ଅଢେଇ ଦିନର ମଣିଷ ଜୀବନ

  ଚଳିଗଲେ ଯିବ ଚଳି 

ପରିସ୍ଥିତି ସାଥେ ଏ ଜୀବନ ପଥେ

  ବାନ୍ଧିବାକୁ ହେବ ମେଳି।


ମନର ଭାବନା ବଦଳିଲେ ସିନା

 ବଦଳିବ ଆମ ସ୍ଥିତି 

ନୋହିଲେ ଏ ବିଶ୍ୱେ ଏ ମନ ସକାଶେ

 ଦୁଃଖ ହେବ ଚିର ସାଥୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational