STORYMIRROR

Chinmaya Kumar Sahoo

Inspirational

4  

Chinmaya Kumar Sahoo

Inspirational

ଶିଶୁ

ଶିଶୁ

1 min
354

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁତାରାଟିଏ ଶିଶୁ

ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ।


ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ

ବିଶାଳ ବୟସ୍କ ବର ଗଛ ଡାଳେ କଅଁଳ କଷିଟେ ଶିଶୁ।


କୁମ୍ଭାର ଶାଳରେ ଗଢା ହେଉଥିବା କଞ୍ଚା ମାଠିଆଟେ ଶିଶୁ

ଶିଳ୍ପୀର ନିହାଣ ସ୍ପର୍ଶେ ଜନ୍ମିଥିବା ସୁନ୍ଦର କୋଣାର୍କ ଶିଶୁ।


ପଙ୍କ ପୋଖରୀରେ ଜହ୍ନ ଆଲୁଅରେ କଇଁ ଫୁଲଟିଏ ଶିଶୁ

ଦାଣ୍ଡ ଅଗଣାରେ ଚଉଁରା ଉପରେ ତୁଳସୀ ଗଛଟେ ଶିଶୁ।


ଆଖିରେ ଆଖିଏ ସପନ ସାଇତି ସଜ ସକାଳଟେ ଶିଶୁ

ବୁଢା ଗଛଡ଼ାଳ କୋରଡ ଭିତରେ ପକ୍ଷୀ ଶାବକଟେ ଶିଶୁ।


ଆଶାର ଅମାପ ସମୁଦ୍ର ଗର୍ଭରେ ସମ୍ଭାବନାଟିଏ ଶିଶୁ

ନିରୀହ ନିଷ୍ପାପ କୋମଳ ମନର ମାଲିକଟେ ହେଲା ଶିଶୁ।


ଦୂର ଦିଗବଳୟ ଦିଗନ୍ତ ସେପାରେ ଉଇଁଥିବା ସୂର୍ଯ୍ୟ ଶିଶୁ

ପ୍ରକୃତି ରାଣୀର କୋଳ ମଣ୍ଡିଥିବା ଅନନ୍ୟ ସୃଷ୍ଟିଟେ ଶିଶୁ।


ମାୟା ମୋହ ଭରା ମିଛ ସଂସାରରେ ପବିତ୍ର ପ୍ରାଣଟେ ଶିଶୁ

ଧରା କାନନରେ ସ୍ୱର୍ଗର ଅପୂର୍ବ ପାରିଜାତ ଫୁଲ ଶିଶୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational