ଜୀବନରେ ଧୋକା
ଜୀବନରେ ଧୋକା
ନିତି ପ୍ରତିଦିନ ଫେସବୁକରେ ମୁଁ
କବିତା ଗୁଚ୍ଛକୁ ଛାଡେ
ଆନନ୍ଦେ ପାଠକ ଅଧ୍ୟୟନେ ରତ
କମେଣ୍ଟ ଲାଇକ୍ ପଡେ ।
ସନ୍ଦେହ ଚକ୍ଷୁରେ ପଡି ଗଲା ଜଣେ
ଖୋଲି ଦେଲି ମେସେଞ୍ଜର
ପରିଚୟ ମାଗେ କହିବଟି ମୋତେ
କେଉଁ ରାଜ୍ୟ ତୁମ ଘର ।
କହିବି ଭଉଣୀ ଦୟା କରିବ କି
ଫୋନ୍ ନମ୍ବର ଦେଇ
ତୁରନ୍ତ ଆଦେଶ ପାଳନ କରିଲି
ସ୍ୱାମୀଙ୍କ ନମ୍ବର ଛୁଇଁ ।
ଆଜି ଠାରୁ ମୋର ମିତଣୀ ତୁମେ ଗୋ
ଘର କେଉଁଠାରେ କୁହ
ତୁମ ପରି ବନ୍ଧୁ ଜୀବନରେ ପାଇ
ବଢ଼ିଛି ମନରେ ସ୍ନେହ ।
କଟକ ମୋ ଘର ବୋଲି ଥରହର
ପାଟି ବାଜେ ଖନା ପରି
ମନରେ ବିଚାରେ ପୁରୁଷ ସ୍ୱରରେ
କଣ୍ଠ ଲାଗେ ଏତେ ଭାରି ।
ନିରବତା ଚାପି ପୁଣି ପଚାରିଲି
କର୍ଣ୍ଣପାତ ହେଲା ନାହିଁ
ହସି ହସି ବୋଲେ ନୟାଗଡ଼ ଘର
ଏଥର ଜାଣିଲ ସଇ ।
ବାହାନା କରି ମୁଁ ମନ ଉଲ୍ଲାସରେ
କହିଲି ମିଛୁଆ ତୁମେ
ଖୋରଧା ବଜାରେ ଦେଖିଥିଲି ମୁହିଁ
ବୁଲୁଥିଲ ପରା ଦିନେ ।
ରୁଦ୍ଧ କଣ୍ଠ ସ୍ଵରେ କହିଲା ବୁଝାଇ
ଦଶପଲ୍ଲା ଯାଇଥିଲି
ଗ୍ରୀଷ୍ମର ଉତ୍ତାପ ସହ୍ୟ ନହୋଇଲା
ପଇଡଟେ କିଣି ଦେଲି ।
ଟିକେ ମିଛ କଥା କହିଥିଲି ଜାଣି
ପରଖି ଆପଣା ପର
ତୁମେ ତ ଚାଲାକ୍ ମୋ ଠାରୁ ବଳିଲ
ମୋ ଘର ଗୋବିନ୍ଦପୁର ।
ଅତି ସାବଧାନେ ବୋଲେ ମୁଁ ଫୋଅନେ
ଶୁଣ ମୁଖାଧାରୀ ଭାଇ
ବୁଝି ଗଲି ଆଜି ନାରୀ ନାମ ନେଇ
ପୁରୁଷ ହେଉଛ ଗାଇ ।
ଲାଜ ସରମ ତ ପୋଡ଼ି କି ଖାଇଲ
ନିତି ଦିଏ ପତ୍ନୀ ମାଡ଼
ତୁମେ କି ହୋଇବ ବନ୍ଧୁରେ ଗଣିତା
ଆଜି ଠାରୁ ପଥ ଛାଡ ।