ଜୀବନର ମୂଲ୍ୟବୋଧ
ଜୀବନର ମୂଲ୍ୟବୋଧ


ସେ ବା କଣ ଜାଣେ
ଜୀବନର ମୂଲ୍ୟବୋଧ
ଧୁ ଧୂ ଖରାବେଳ ଟାରେ
ଚିକ ଚିକ କରୁଥିବା
ନିଷ୍ପାପ ଆଖି ଦୁଇଟି ତାର
ଶୁନ୍ ଶାନ ଷ୍ଟେସନରେ
କାହାର ଗୋଦତଳେ ପଡି
ହାତପାତି ମାଗିଦିଏ ପଇସାଟିଏ
ମିଳିଗଲେ ଚାରଣିଟେ ବା ଆଠଣିଟେ
ଧାଇଁ ଯାଏ ପାଖ ଗୁମୁଟିକୁ
ଅବା
ମୁଁହ ସଞ୍ଜ ଡାହାଣୀ ବେଳାରେ
ଷ୍ଟେସନ୍ କୁ ଲାଗିଥିବା
ପାନଖିଆ ପାଟିର ଅସଜଡା ଦାନ୍ତପରି
ଧାଡ଼ି ଧାଡ଼ି ବସ୍ତିରେ
ଗୋଟାଇଥିବା ଅଳିଆ ଆବର୍ଜନା
ଭର୍ତି ଜରିକୁ
ବିକିଦେଇ ପାଇଥିବା ପଇସାରେ
ଜୀବନ ଯାକର ଭୋକ
ମେଣ୍ଟେଇ ନିଏ ,
ରାତିହେଲେ ଶୋଇବାକୁ ପଡେ
ଷ୍ଟେସନରେ ପଡିଥିବା
ଲମ୍ବା ଲମ୍ବା କଂକ୍ରିଟ ବେଞ୍ଚ ଉପରେ
ଅବା ଆଦରି କାହା ବାରଣ୍ଡା କୁ
ଭ୍ରୁକ୍ଷେପ ନ କରି
ଶୀତ କାକର ଅବା ଗରମକୁ
ସ୍ବପ୍ନ ବା କଣ ଦେଖିବ ସେ
ବୁଝିବ ବା କେମିତି
ଜୀବନର ମୂଲ୍ୟବୋଧ କୁ
ବଦଳେଇ ଦେଇ ପାରିବ କି
ଅତୀତ ଓ ବର୍ତ୍ତମାନର
ଖିଅ ଖିଅ ପୃଷ୍ଠା
ବଦଳେନି ! ବଦଳାଯାଏନି ତ କେବେ
ତାର ନିତ୍ୟ କର୍ମ ଜଞ୍ଜାଳ
ଏମିତି କି ? ବୁଝିଥାଏ
ବୁଝେ କି ଜାଣେନା
ଜୀବନର ମୂଲ୍ୟବୋଧ ।