ଜୀବନର ଦୋଛକିରେ
ଜୀବନର ଦୋଛକିରେ
ବଞ୍ଚିବାକୁ ଏ ଦୁନିଆଁରେ ମୁଣ୍ଡ ଟେକି
ଚଲାପଥେ ଚାଲୁ ଚାଲୁ ତୁମେ ଅବା ମୁଁ
ବେଳେବେଳେ ରହି ଯାଉଁ ଅଟକି...
ସମସ୍ୟାର ଘେରଥିବା ଜୀବନର ଦୋଛକିରେ,
କେଉଁ ପଥ କେତେ ଦୂର ଯାଇଛି କୁଆଡ଼େ
ଏମିତି କେତେ ପ୍ରଶ୍ନବାଚୀ ଉଠା ପାଚେରୀ ଭିତରେ
ମଲ୍ଲ ଯୁଦ୍ଧ ପରି କରୁଥାନ୍ତି କୁସ୍ତି ପରସ୍ପର ମଧ୍ୟେ
ଶଙ୍କା ସନ୍ଦେହ ଅବିଶ୍ୱାସର ଦ୍ଵନ୍ଦରେ।
ଲକ୍ଷ୍ୟ ସ୍ଥଳ କେବଳ ମାତ୍ର ଏକ ମାନସିକତା
ଅନେକ ଆଶାର ସମ୍ଭାବନାକୁ ନେଇ ଅଙ୍କା ହୁଏ
ଲହରୀ ମାଡି ଆସୁଥିବା ବେଳାଭୂମି ଉପରେ,
ଯଦିଓ କେତେବେଳେ ବି ଲହରୀ ଢେଉ ପାଲଟି
ଧୋଇ ନେଇ ଯାଇପାରେ ସବୁ ଚିତ୍ରପଟ
ଜାବୁଡି ଧରି ରଖିବାକୁ ନ ଥାଏ ନିଜର ଦମ୍ଭ
ଶକ୍ତି ସାମର୍ଥ୍ୟ ଦକ୍ଷତାକୁ ରଖି ଆୟତ୍ତରେ।
ତଥାପି ଗୋଟାଏ ନିର୍ଦ୍ଦିଷ୍ଟ ପଥ ବାଛି ଦୃଢତାରେ
ବାହାରି ଆସି ଦୋଛକିରୁ ଆଗେଇବାକୁ ହୁଏ
ଧୈର୍ଯ୍ୟ ସାହସର ଗଣ୍ଠିଲିକୁ ମୁଣ୍ଡେଇ ମୁଣ୍ଡରେ,
ଲକ୍ଷ୍ୟ ଯଦି ଠିକ୍ ଠିକଣା ନିର୍ଭୁଲ୍ ପଥିକର
ସଫଳତାର ଶୀର୍ଷକୁ ପହଞ୍ଚି ପାରେ ଅନାୟାସରେ
ଶତ ପ୍ରତିବନ୍ଧ ପାରେନା ରୋକି ଅଧାବାଟରେ।
ଏ ଜୀବନର ଦୋଛକିରେ ଅଟକି ରହି
କେବଳ ଭାବି ବସିଲେ କେହି ମ୍ରିୟମାଣ ହୋଇ
ସମୟ ଅପେକ୍ଷା କରେନା କାହା ପାଇଁ....
ସେ ପୃଥିବୀର ଆବର୍ତ୍ତନ ପରିକ୍ରମଣ ଗତି ପରି
ଅବିରାମ ଗତିରେ ଘୂରୁଥାଏ ନିଜ କେନ୍ଦ୍ର ବିନ୍ଦୁରେ
କାହାର ହାନି ଲାଭକୁ ରହେନା ତ ଚାହିଁ...
ଦେଖି ତାକୁ ବୁଝି ଶିଖି ଯାଏ ଯିଏ ଠିକ୍ ପଥରେ
କେବେ ଅଟକେନା ଜୀବନର ଦୋଛକିରେ।
