ଜୀବନର ଅନ୍ୟ ନାମ ସଂଘର୍ଷ
ଜୀବନର ଅନ୍ୟ ନାମ ସଂଘର୍ଷ


ଜୀବନର ଅନ୍ୟ ନାମ ସଂଘର୍ଷ
କାହା ପାଇଁ ଏ ଜୀବନ ଗୋଲାପର ଶେଯଟିଏ
କାହା ପାଇଁ ଯାତନାର ହଳାହଳ ବିଷ l
କାହା ପାଇଁ ଏ ଜୀବନ ଦୁଇଟୋପା ଲୁହ
ନୀରବ ବେଦନା ଆଉ ଦୁଃଖଭରା କୋହ
ଯନ୍ତ୍ରଣାର ମନ୍ତ୍ରଣାରେ ମରିଯାଏ ହସ
ଜୀବନର ଅନ୍ୟ ନାମ ସଂଘର୍ଷ l
ଆଶା ଏଠି ନିତି ମରେ ଭରସାର ଲାଞ୍ଛନାରେ
ଅବିଶ୍ୱାସ ଉଙ୍କିମାରେ ଲୁଚି ଲୁଚି ବିଶ୍ୱାସରେ
ବିଶ୍ୱାସର ନିଃଶ୍ୱାସରେ ସବୁ ହୁଏ ଶେଷ
ଜୀବନର ଅନ୍ୟ ନାମ ସଂଘର୍ଷ l
ଆଶାତ ଅନେକ ଏଠି ଭାବନା ଅନେକ
ଯାତନା ଅନେକ ଏଠି ସପନ ଅନେକ
ସପନତ ସରେ ନାହିଁ ରାତି ହୁଏ ଶେଷ
ଜୀବନର ଅନ୍ୟ ନାମ ସଂଘର୍ଷ l
ବଂଚିବାର ମୋହ
ଏଠି କରେ ବାଟବଣା
ଆପଣାର ଲୋକ ସବୁ ଲାଗନ୍ତି ଅଜଣା
ସ୍ୱାର୍ଥ ପାଇଁ ସମ୍ପର୍କର ସତ୍ତା ହୁଏ ଧ୍ୱଂସ
ଜୀବନର ଅନ୍ୟ ନାମ ସଂଘର୍ଷ l
ଭାଗ୍ୟ ଏଠି ଗଡି ଚାଲେ କର୍ମର ଇଙ୍ଗିତେ
ଘଟଣା ତା ଘଟି ଚାଲେ ବିଡ଼ମ୍ବିତ ପଥେ
ଅମୃତବି ଆଚମ୍ବିତେ ପାଲଟଇ ବିଷ
ଜୀବନର ଅନ୍ୟ ନାମ ସଂଘର୍ଷ l
ସତ ଏଠି ଲୁଚି ଯାଏ ମିଛ ଉହାଡରେ
କିଟିମିଟି ଅନ୍ଧକାରେ ଅବେଳରେ ରାତି ଫେରେ
ସମୟଟା ଜାଣିଶୁଣି କରେ ଉପହାସ
ଜୀବନର ଅନ୍ୟ ନାମ ସଂଘର୍ଷ l
ଏ ଜୀବନ ଯାତନାର ଏକ ଗନ୍ତାଘର
ସୁଖର ନନ୍ଦନବନ କେବେ ଖୁସିର ସମ୍ଭାର
କେବେ ପୁଣି ଡାକିଆଣେ ଖାଲି ଅବଶୋଷ
ଜୀବନର ଅନ୍ୟ ନାମ ସଂଘର୍ଷ l