ଜୀବନ ଯାତ୍ରା
ଜୀବନ ଯାତ୍ରା
କେତେ ଶ୍ରମ ଦାନେ ବୃକ୍ଷ ରୂପୀ ପୃଥ୍ବୀ
ଦଣ୍ଡାୟମାନ ଏଠାରେ
ଅହରହ ଯତ୍ନ ଓ ଦାୟିତ୍ଵ ସହ
ବୃକ୍ଷ ଫୁଲ ଫଳ ଧରେ
କେତେ ଝଡ ବାତ୍ୟା ସହିତ ସଂଘର୍ଷ
ପୁଣି ଖରା ବର୍ଷା ଶୀତ
ସବୁ କିଛି ସହ୍ୟ କରି ବୃକ୍ଷ ସ୍ଥିର
ନ ହୁଅଇ ବିଚଳିତ
ପଲ୍ଲବିତ ବୃକ୍ଷ ଛାୟାରେ ଆଶ୍ରୟ
କେତେ କେତେ ପଥଚାରୀ
ପ୍ରଶଂସା କରନ୍ତି ସବୁଜ ବୃକ୍ଷର
ଏଇ ବୃକ୍ଷ ବଡ ଉପକାରୀ
ପଥିକର ଶ୍ରମ ହୋଇଲେ ଲାଘବ
ଫେରେ ଆପଣା ପଥରେ
ଭୁଲି ଯାଏ ବୃକ୍ଷ ଆଶ୍ରିତ ସମୟ
ବୃକ୍ଷ ସ୍ଥିର ଏକାନ୍ତରେ
ଜୀବନର ଡଙ୍ଗା ଭାସି ଚାଲୁଅଛି
ସଂସାର ଦରିଆ ଜଳେ
ଅମାପ ଗଭୀର ଅଥଳ ଜଳଧି
ଜଞ୍ଜାଳ ତରଣି ମାଳେ
ସମୟ ର ବାଆ ପଛରୁ ଠେଲୁଛି
ଡଙ୍ଗା ଭାସି ଭାସି ଯାଏ
କେତେ ଝଡ ବାତ୍ୟା ହୁଏ ସମ୍ମୁଖୀନ
ହିସାବ ରଖି ନ ହୁଏ
ଘୋଟି ଆସେ ଯେବେ ଘନ ଅନ୍ଧକାର
ଡଙ୍ଗା ହିଁ ମାତ୍ର ଆଶ୍ରୟ
ନିର୍ମଳ ହୋଇଲେ ଆକାଶ ମଣ୍ତଳ
ଜୀବନ ହୁଅଇ ଥୟ
ଡଙ୍ଗା ବୁଡି ଗଲେ ଦରିଆ ଭିତରେ
ଜୀବନ ଯାତ୍ରା ସରିବ
ଦରିଆ କେବଳ ଲହରୀ ସାଥିରେ
କିଏ କାହାକୁ ଖୋଜିବ ।
ପଥିକ ବେଶରେ ଆସି ଏ ସଂସାରେ
ପଥଚାରୀ ପଥେ କ୍ଳାନ୍ତ
ବୃକ୍ଷ ରୂପୀ ପୃଥ୍ବୀ ଛାୟାରେ ଆଶ୍ରୟ
ପଥ ଯେବେ ଭାରାକ୍ରାନ୍ତ
ଫେରିବାକୁ ହେବ ଆପଣା ପଥରେ
ବୃକ୍ଷ ଥିବ ମାତ୍ର ରହି
ବୃକ୍ଷକୁ ନିହାତି ନିଜର କରିବା
କାହାର ବି ସାଧ୍ୟ ନାହିଁ
ସର୍ବେ ନିଜ ନିଜ ଖେଳା ଲୀଳା ସାରି
ବାହୁଡ଼ିବେ କାଳ ବଳେ
ଆଶ୍ରୟ ଦାତା ବୃକ୍ଷ ସଦା ରହିଛି
ରହିଥିବ ସବୁବେଳେ ।