ଜୀବନ ଶେଷରେ ପ୍ରେମର ସମାଧି
ଜୀବନ ଶେଷରେ ପ୍ରେମର ସମାଧି
ଜୀବନର ସଞ୍ଜେ ପ୍ରାଣର ପ୍ରିୟା ମୋ
କରୁଛି ଏତିକି ଅଳି।
ତୁମ ମଧୁ ଆଶେ ମୋ ସମାଧି ପାଶେ
ଦୀପଟିଏ ଦେବ ଜାଳି।।
ବଧୁ ବେଶେ ଯେବେ ଯିବ ଶାଶୁଘର
ସବାରୀ ବାଲାକୁ କହି।
ଦୟାକରି ତୁମ ସବାରୀକୁ ନେବ
ମୋ ସମାଧି ବାଟ ଦେଇ।।
ଦେଖିବି ତୁମର ନବ ବଧୂ ବେଶ
ସମାଧି ଭିତରେ ଥାଇ।
ପ୍ରେମରେ ଏହି ମୋ ଶେଷ ଆନନ୍ଦଟି
ଆଖି ଲୁହେ ଥିବ ରହି।।
କହିବନି କେବେ ସ୍ୱାମୀକୁ ତୁମର
ଭାବ ବିହ୍ୱଳରେ ବହି।
ତୁମ ମୋ ସମ୍ପର୍କ ସଦା ରହିଥିବ
ଅଖୋଲା ବହିଟେ ହୋଇ।।
ତୁମେ ଶୋଇଥିବ ଆନନ୍ଦ ମନରେ
ସ୍ୱାମୀ କୋଳେ ମଥା ଥୋଇ।
ମୁଁ ତ ବୁଲୁଥିବି ମଶାଣି ଭୂଇଁରେ
ଅତୃପ୍ତ ଆତ୍ମାଟେ ହୋଇ।।
ସଂସାର ଜଞ୍ଜାଳେ ବ୍ଯସ୍ତ ରହି ତୁମେ
ମୋ ପ୍ରେମକୁ ଯିବ ଭୁଲି।
ଆଉ କେବେ ତୁମ ମନେ ପଡିବନି
କରୁଥିଲ ପ୍ରେମ ବୋଲି।।
ମଥାରେ ନାଇବ ସ୍ୱାମୀର ସିନ୍ଦୁର
ହାତେ ପିନ୍ଧିଥିବ ଚୁଡି।
ଓଠେ ଥିବ ତୁମ ସ୍ୱାମୀଙ୍କର ନାମ
ଶେଯେ ଧରିଥିବ ଭିଡି।।
ଏସବୁ ଦୃଶ୍ଯକୁ କିପରି ଦେଖିବି?
ସେଥିପାଇଁ ଗଲି ଛାଡି।
ଅନ୍ଧାର ରାତିରେ ଆଜି ମୁଁ ଛାଡୁଛି
ବସି ବିକଟାଳ ରଡି।।
ଏ ଜନ୍ମେ ବିଧାତା ବଇରି ସାଜିଲା
ତୁମଠୁ କରିଲା ଦୂର।
ଆର ଜନମରେ ନିଶ୍ଚିତ ଆସିବି
ସାଜି ମୁଁ ତୁମର ବର।।
ବିତିଯାଉ ତୁମ ଏ ସାରା ଜୀବନ
କେବଳ ସର୍ବଦା ହସି।
ଆର ଜନ୍ମ ଯାଏ କରିବି ଅପେକ୍ଷା
ସମାଧି ଭିତରେ ବସି।।

