STORYMIRROR

Sarmistha Palai

Romance Tragedy

4  

Sarmistha Palai

Romance Tragedy

ଝୁରେ ରାଈ ପ୍ରାଣ

ଝୁରେ ରାଈ ପ୍ରାଣ

1 min
268


ଝୁରେ ରାଈ ପ୍ରାଣ ଆହେ ଶ୍ୟାମଘନ

  ଚିତ୍ତ କି' ନିଷ୍ଠୁର ହେଲା।

ମୋ' ଅନ୍ତର ସ୍ଵନ ଶୁଭୁନି କି' କର୍ଣ୍ଣେ

  ନିଶି ତ' ଘୋର ହୋଇଲା।


ମୟୁର ଚୂଳକୁ ଭରଷା କରିଲି

  ମୁରଲୀକୁ କଲି ଆଶ।

ମିଛ ପୀରତିରେ କିମ୍ପାଇଁ ବାନ୍ଧିଲ

  କୁହ ତୁମ୍ଭେ ଜଗଦୀଶ।


ରାଧା ନାମେ ପରା ବଇଁଶୀ ବାଜଇ

  ରାଈ ରାଈ ଡାକ ଦେଇ।

ମୋ' ପୀରତି ଭୁଲି କାହା ପାଶେ ଗଲ

  ଦଗା ଦେଲ କାଇଁ ପାଇଁ।


ନିଶାର୍ଦ୍ଧ ରଜନୀ ସ୍ମିତ ହସ ହସେ

  ଦେଖି ଆଜି ମୋ' ଅବସ୍ଥା।

କୁଞ୍ଜବନେ ଆଜି ଏକା ବସି ଝୁରେ

  କଲ କିମ୍ପାଇଁ ହିନସ୍ଥା।


କିଏ ସେ' ଚାତୁରୀ ମନକୁ ମୋହିଲା

  ପ୍ରୀତି ରସ ଦେଲା ବୋଳି।

କୁଞ୍ଜବନେ ତୁମ୍ଭେ ଆସିବ କହିକି

  ମୋ' ମୁହଁରେ ଦେଲ କାଳି।


ମିଛ ଥିଲା ତୁମ୍ଭ ପ୍ରୀତି ଚାଟୁ କଥା

  ମିଛ ଥିଲା ପ୍ରାଣ ସହି।

କାହା ଅଙ୍କପୁରେ ଶୟନ କରିଛ

  ଭାବି ପଦୁ ଖସେ ମହୀ।


କେତେ କେତେ ଫୁଲ ଜତନେ ସଜାଇ

  କରିଥିଲି ଫୁଲ ଶେଜ।

ମଉଳି ଗଲାଣି ବାସ ଚହଟିଣ

  ଅପେକ୍ଷାରେ ଗଲା ଆଜ।


ବିରହର ନିଆଁ ଦାଉ ସାଜୁ ଅଛି

  ନୟନୁ ଝରେ ଲୋତକ।

ଭୂମିରେ ଲୋଟିକି ତୁମ୍ଭ ଛବି ଆଙ୍କେ

  ସ୍ମୃତି ହିଁ' ମୋର ସନ୍ତକ।


ଶୀତଳ ବାତ ତ' ଧୀରେ ଧୀରେ ଛୁଏଁ

  ଫାଟି ଆସୁଛି ସିନ୍ଦୁରା।

କମଳିନୀ ଜଳେ ଥିରି ଥିରି ଉଠେ

  ଦେଖି ମୋ' ମନ ଅଧିରା।


ବିତିଲା ଜାମିନୀ ଅସହ୍ୟ ଜ୍ୱାଳାରେ 

   ତୁମ୍ଭକୁ କରିଣ ପ୍ରେମ।

ଆଉ ଡାକିବନି ରାଧା ରାଧା ବୋଲି

  ଦେଲି ରାଣ ହେ' ମୋହନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance