ଝରକାର ଆରପାଖେ
ଝରକାର ଆରପାଖେ
ଧୂର୍ମମୟ ବାତାବରଣେ
ଆକୁଳ ଯନ୍ତ୍ରଣାରେ ବୁଲୁଛି
ଅସ୍ଥିର ମନ
କେବେ ନିଭୃତ କୋଠରିରେ ବନ୍ଦୀ ତ
କେବେ ବାତାୟନ ଆରପାଖେ
ଆପେ ଆପେ ଯିବାର ପ୍ରଚେଷ୍ଟା।
ମଶାରୀ ଭିତରେ ମଶକ ପରି
ଛିନ୍ଦ୍ର ରାହା ପାଏନା ।
ମନେ ହୁଏ ମନଟା ଅରାତି ଗହଳେ
ନିରୁପାୟେ ଅସ୍ଥିର
ଅଶ୍ରୁ ବିଗଳିତେ ଚେଳାଂଚଳ ସିକ୍ତ ।
ଆପେ ଆପେ କପୋଳ ଗଣ୍ଡେ
କର ଦେଇ ଭାବନା ରାଜ୍ୟରେ
ଭାସି ଭାସି ଯାଏ ।
ଅବିରତ କରତି ହେଉ ଥିବା ମନ
ଶ୍ୱାସ ରୁଦ୍ଧରୁ ମୁକ୍ତ ହୋଇ
ଗାଢ଼ ତମ ସ୍ଥଳକୁ ଆବୋରି ନିଏ ।
ବିକସିତ ଶତ କୁସୁମ
ସତେ ଯେମିତି ସୁଗନ୍ଧରେ
ମୋହଗ୍ରସ୍ତ କରି ଦେଲା ।
ଚନ୍ଦ୍ରଶାଳାରେ ପାଦ ଦେଇଛି
ସତେ ଏଇ ଅଭିସାରିକା ନାୟିକା
ଗୀତିରୋଳ କରି ଗୁଞ୍ଜରିତ
ସୁର ବେସୁରା ଛନ୍ଦ ହୀନ ତାଳ ହୀନ
ସଙ୍ଗୀତ ମୂର୍ଚ୍ଛନାରେ ଭାସି ଉଠେ ।
ବହଳ ତମିସ୍ରରେ ଏକାନ୍ତ ଜୀବନ
ଖୁବ୍ ଶର୍ମ ଦାୟକ ।
ଅନୁଭବ ଦ୍ଵାରେ କରାଘାତ କରି
ଭରି ଦିଏ ସ୍ୱର୍ଗୀୟ ସୌରଭ ।
କିନ୍ତୁ ସ୍ୱପ୍ନଚୁମ୍ବୀ ମନଟା
ସହସା ଶମ୍ବଳୀ ନପାଇ
ପ୍ରତ୍ୟାବର୍ତ୍ତନ କରେ ।
ଏଇ ହେଉଛି ଆମର ସମାଜ ।
ଝରକା ଆରପାଖେ ମନେ ହୁଏ
ମନୋରମ ପରିବେଶ
ଧୋକା ଖାଇ ଯାଏ ନିରିହ
ଆଶା ପୂର୍ଣ୍ଣ ଆଖି ଦୁଇଟି ।
ଛଳ ପ୍ରତାରଣା ଭସ୍ମ ସ୍ତୁପକୁ
ଟିକିଏ ସ୍ପର୍ଶରେ ଭଗ୍ନ ହୋଇ
ଚୁରମାର ହୋଇ ଯିବ ତାର
ଭାବନାରେ ନଥାଏ ।
ସ୍ନହ ପ୍ରୀତି ଉପଲବ୍ଧ ଦୁରୂହ ଦୁଷ୍କର
ଏଇ ତ ଦୁରାଲୋକର ପ୍ରତିଛବି .......
ବିନା ସାଧନାରେ ବାୟୁକୁ ସାରଥି କରେ
କଙ୍କାଳ ଉଡ଼ି ଉଡ଼ି ଯାଉ ଥାଏ
ଅଗଣିତ ସୈକତ ସାଙ୍ଗେ ନେଇ ।
ଝାପସା ଝାପସା ପ୍ରତିଛବି
ହାତ ପାହାନ୍ତାରେ କେବେ ବି ଆସେନା
ଝରକାର ଆରପାଖରୁ କୁଦାମାରି .....
କେବଳ ମାତ୍ର ରହସ୍ୟ ଭରା ।

