ଝରକା ସେପାଖେ ଶୀତ
ଝରକା ସେପାଖେ ଶୀତ
ଅଚଞ୍ଚଳ ହୁଏ ଚଞ୍ଚଳ ହୃଦୟ,
ଅବୟବ ଉଠେ ଥରି,
ଉଷ୍ମ ଶୋଣିତର ଧାର ହୁଏ ସ୍ଥିର,
ହିମ ବୁନ୍ଦା ଯାଏ ଝରି।।
ଝରକା ସେପାଖୁ ଧସେଇ ସେ ପଶେ,
ଅନ୍ତରଙ୍ଗ ସ୍ପର୍ଶ ପାଇଁ,
ବାରୁଣୀ ଆକାଶେ ପରାସ୍ତ ତପନ,
ଗୁଣ ତେଜି ଯାଏ ନଇଁ।।
ଝରକା ଏପାଖେ ଅଙ୍ଗେ ଅଙ୍ଗେ ଶୁଭେ,
ମିଳନର ଅଭିସାର,
ସେ ଶୀତଳ ଛୁଆଁ ଜାଳିଦିଏ ଯେତେ,
ଭାବନାର ଦୁର୍ବାଦଳ।।
ଜାଡୁଆ ଯନ୍ତ୍ରଣା ଶିରିଶିରି ହୁଏ,
ଦେହ ମନ ପ୍ରାଣ ଛୁଇଁ
ତଥାପି ଝରକା ଛାଡ଼ି ଯିବା ପାଇଁ,
ମନଟା ବଳାଏ ନାହିଁ।।
ଗୁମସୁମ ହୋଇ ସଂଚରି ଯାଏ ସେ,
ମୋହିତ ପ୍ରେମିକ ପରି,
ବାତାୟନ ସାଜେ ସାକ୍ଷୀ ମିଳନର,
ପ୍ରୀତି ବିନ୍ଦୁ ଯାଏ ଝରି।।

