ଝରାପତ୍ରର ବିଳାପ
ଝରାପତ୍ରର ବିଳାପ
ଆଜି ମୁହିଁ ବୃକ୍ଷ ଚ୍ୟୁତ ଭୂମିରେ ପତିତ
ଆଜି ମୁହିଁ ରଙ୍ଗହୀନ ସବୁଜିମା ହତ l
ଥର ଥର ଦେହ ମୋର କାଲୁଆ ଶୀତରେ
ଶୀତୁଆ ପବନ ମାଡ଼େ ଲୋଟିଛି ଭୂମିରେ ।
ଦିନଥିଲା ଶୋଭିଥିଲି ଅଗ୍ର ମୁକୁଳରେ ,
ନାଲି ନାଲି ରଙ୍ଗ ମୋର ଚହଟେ ଖରାରେ ।
ଲୋଭିଲା ଆଖିରେ ଚାହେଁ ଭ୍ରମର ଭ୍ରମରେ ,
ଫୁଲ ପରି ଭ୍ରମ ହୁଏ ମୁଁ ତରୁ ଡାଳରେ
ସତେଜ ଶାଗୁଆ ରୂପ ପୂର୍ଣ୍ଣ ଯୌବନରେ ,
ପରିପୂର୍ଣ୍ଣ ହୁଏ ତରୁ ସବୁଜ ବିଭାରେ ।
ଜଳରୁ ବନାଏ ଖାଦ୍ୟ ସୂର୍ଯ୍ୟ କିରଣରେ ,
ପବନରୁ ଖୋଜିନିଏ ଅଙ୍ଗାରକାମ୍ଲ ଧୀରେ ।
ତରୁକୁ ଯୋଗାଏ ଖାଦ୍ୟ ମାତୃ ବତ ହୋଇ ,
ପୁଷ୍ଟି ଲାଭ କରେ ତରୁ ଖାଦ୍ୟ ସାର ପାଇ।
ସବୁ ଆଜି ଅତୀତ ସେ ରଙ୍ଗ ଜୀବନର ,
ଭୂମିରେ ଲୋଟି ମଧ୍ୟ ଯୋଗାଏ ମୁଁ ସାର ।
ଜଗତରେ ସଦା ହୁଏ ଏହି ପରିଣତି ,
ଜୀବନର ଏହି ଅଟେ ବାସ୍ତବ ନିୟତି ।