ଆସିଛି ଶରତ ହସୁଛି ମରତ
ଆସିଛି ଶରତ ହସୁଛି ମରତ
ବରଷାର କାଳ ହେଲାଣି ତ ଶେଷ
ନିରିମଳ ଦିଶଇ ନୀଳ ଆକାଶ
ଚନ୍ଦ୍ର ସୂର୍ଯ୍ୟ ବେନି ରଜନୀ ଦିବସ
ହସି ହସି ଜ୍ୟୋତି କରନ୍ତି ପ୍ରକାଶ।
ଗଗନରୁ ଗଲେ ବାଦଲ ବିଜୁଳି
ଖେଳନ୍ତିନି ଜହ୍ନ ସାଥେ ଲୁଚକାଳି
ବିମଳ ଆଲୋକ ପଡ଼ଇ ଉଛୁଳି
ବସୁଧା କୋଳରେ ଶୋଭାର ଗହଳି।
ଆସିଛି ଶରତ ହସୁଛି ମରତ
ସରଗର ଶିରୀ ହୁଏ ଅନୁଭୂତ
ପ୍ରକୃତି ସୁନ୍ଦରୀ ଢାଳୁଛି ଅମୃତ
ପ୍ରାଣ ପୁଲକିତ ହୁଏ ଅବିରତ।
ସବୁଜ ସମ୍ଭାରେ ହସେ ବଣ ବିଲ
ତରୁଲତା ଡାଳେ ଫୁଟେ ନାନା ଫୁଲ
ମନୋହର ରୂପ ଡଉଲଡାଉଲ
ଲାଗେ ସଂସାରର ଏ ଅମୂଲ ମୂଲ।
ନଈ ଯାଏ ବହି ସ୍ୱଚ୍ଛ ଜଳ ନେଇ
କୂଳେ କୂଳେ ତା' କାଶତଣ୍ଡି ହସଇ
ଶୁଭ୍ର ରୂପାର ରୂପରେ ଝଲସଇ
ଆଖି ଯାଏ ଲାଖି ବିମୋହିତ ହୋଇ।
ଘର ଅଗଣାରେ ହସର ଲହରୀ
ପରବ ପୁନେଇଁ ଆସେ ସାଥୀ ଧରି
ପରିବେଶ ଯାଏ ସୌନ୍ଦର୍ଯ୍ୟରେ ଭରି
ମୂଲକେ ଆନନ୍ଦ ଖେଳେ ଅସୁମାରୀ।
ଶାରଦୀୟ ଶୁଭ ଲଗନରେ ଦିନ
ସୁଖେ ବିତେ ଆନନ୍ଦିତ ହୁଏ ମନ
ମାଆ ଦୁର୍ଗାଦେବୀଙ୍କର ଆଗମନ
ଦୁଃଖ କ୍ଲେଶ ସବୁ ହୁଏ ଅବସାନ।
ଦୁର୍ଗତନାଶିନୀ ମାଆ ଦଶଭୁଜା
ଷଢ଼ ଉପଚାରରେ ପାଆନ୍ତି ପୂଜା
ଉଡ଼େ ଆଦି ଶକ୍ତିଙ୍କ ବିଜୟ ଧ୍ୱଜା
ଶରଣ ନିଅନ୍ତି ସମୂହ ପରଜା।
ଆସିଛି ଶରତ ହସୁଛି ମରତ
ହୃଦୟେ ମମତା କରାଏ ସେ ଜାତ
ଦୁଃଖୀଜନ ଦୁଃଖରୁ ହୁଏ ବିରତ
ସଜାଡ଼ି ନେବାକୁ ତାର ଭବିଷ୍ୟତ।