ଶେଷ ଅଳି
ଶେଷ ଅଳି
ଝରିଯାଏ କେବେ ଯଦି ଅକାଳରେ
ଥିବୁ ତୁ ଧନ ସାଥିରେ,
ପୂଣ୍ୟ ବଗିଚାର ବାସ ତୁଳସୀରେ
ଆତ୍ମା ନେଇ ତୋ ମନ୍ଦିରେ ।
ଚଲାପଥ ମୋତେ ପର କରିଦେଲେ
ସହିଯିବି ଅକ୍ଳେଶରେ,
ପର କରିବୁନି କାଳିଆ ସୁନାରେ
ମୋ ଆତ୍ମାର ରଥପରେ।
ହାରିଲି କେତେରେ ଜିତିଲିରେ କେତେ
ଅନୁଭବ ନାହିଁ ସେତେ,
ଖୋଜିବା ନିଶା ମୋ ଶେଷ ଆଶା ସତେ
ବାୟାଣୀ କରିଲୁ ମୋତେ ।
ଅବଶୋଷ ନାହିଁ ଅଭିମାନ ନାହିଁ
ନିଷ୍କାମ ଚେତନା ଭରି,
ହୃଦୟ ମନ୍ଦିରେ ନିରବେ ଖୋଜୁଛି
ଯନ୍ତ୍ରଣା ମୋ ଅସୁମାରି ।
ମୋ ଧନସଙ୍ଖାଳି ମୋର ଗଳାମାଳି
ଜ୍ଞାନର ମୋ ଦୀପାବଳି,
ମରୁକ୍ଷେତ୍ରେ ତୁ ତିତିକ୍ଷା ଜପାମାଳି
ଅପାଶୋରା ଧନମାଳି।
ଦି ଖଣ୍ଡ କାଠ ମୋ ଶରୀର ପାଇଁକି
ଶୋଭା ଶଙ୍ଖା, ସିନ୍ଦୁରରେ
ଅଳିତା ପାଦରେ ତୁଳସୀ ମୋ ପାଇଁ
ସଜାଡିବୁ ପୁତ୍ର ତୁ'ରେ ।
କେତେ କରିଛି ମୁଁ ଅନାଦର ତୋତେ
ଭୁଲିଯିବୁ ସେତେବେଳେ,
ମୋକୋଳ ଝୁଲଣାରେ ଆଉକି ସତେ
ଝୁଲାଇବି ଶେଷବେଳେ ।
ଖାଇନାହୁଁ ବୋଲି ହୃଦୟ ବ୍ୟଥାରେ
ଅଧୀର କି ହେବି ଧନ,
ଛାଡି ଏ ଶରୀର ଆତ୍ମାଠାରୁ ଦୂରେ
ପଞ୍ଚଭୂତେ ହେବ ଲୀନ।
ଭଲ ପାଉ ତୁହି ଶରୀରକୁ ମୋର
ନ ଧରିଲେ ତୁହି ରୁଷୁ,
ତୋ ମୁହଁର ସେହି ଅଭିମାନତାର
କେତେ କଥା ତୁ ପରଷୁ ।
ସାଉଁଟି ପାରୁନି କଲମ ମୁନରେ
ଲୁହରେ ଯାଉଛି ଭିଜି,
ଆଖି ଲୁହରେ ତୋ ବ୍ୟଥା ମୁଁ ଜାଣିରେ
କାହିଁକି ଯାଉଛି ହଜି ।
ଧନ,ମାନ,ଯଶ ଆଶାରେ କେବେରେ
ଡାକି ପାରିନାହିଁ ତୋତେ,
ମୋ ଭଲ ପାଇବା ବାସ ଚନ୍ଦନରେ
ଭିଜୁଛିରେ ହୃଦେ ନିତ୍ୟେ ।
କୁନିଟିଏ ତୁହି କେଜାଣି କେମିତି
ସମସ୍ୟା ଦିଅନ୍ତି ତୋତେ,
ହାତେ ଲଡୁଧରି ଖାଇବା ଶିଖିନି
ମୋ ଗୋପାଳ ତା'ର ହାତେ ।
ହାରିଯିବି ଯେବେ ଦୁଃଖ କରିବୁନି
ଆତ୍ମା ସହିବନି ମୋ'ର,
ଶ୍ରୀ ମନ୍ଦିର ଦେଇ ଶେଷ ଯାତ୍ରାକରି
ଅନ୍ତେ ମାଆ ଡାକ ତୋ'ର ।