ଅପରିଚ଼ିତ ସମୟ
ଅପରିଚ଼ିତ ସମୟ
ପିଲା ବେଳ ଯାଇ ଯେମିତି
ଦୁଷ୍ଟାମି ବେଳ ଆସିଥିଲା
ସେଇ ଢଙ୍ଗର ଚ଼ପଳାମିକୁ
ଗୁଗୁଚିଆ କଣ୍ଟା
ସେନେହ ବୋଳି ଲଗାମ ସ୍ୱରୁପ
ମୁଁ ପନ୍ଧିଥିବା କପଡ଼ାରେ
ଫୋଡ଼ି ହୋଇ ବାଟ ଓଗାଳୁଥିଲେ ।।
ପ୍ରଜାପତି ସାଙ୍ଗରେ ଉଡ଼ି ଉଡ଼ି
ସ୍ୱପ୍ନ ସବୁକୁ ସାଉଁଟି ନିଜ ଓଢ଼ଣିର
କାନିରେ ଗଣ୍ଠି ଦେଇଥିଲି
ଷୋହଳ ସତର ବୟସରେ
ଫଗୁଣର ସବୁ ରଙ୍ଗ
ମୋ ଦେହରେ ବୋଳି ହୋଇ
ମନକୁ ରଙ୍ଗେଇ ଦେଇଥିଲି
ଯମୁନାର ଜୁଆରିଆ ବନ୍ୟାରେ
ହଜିଯାଇଥିଲି ଅପରିଚ଼ିତ ସ୍ୱପ୍ନ ସହିତ ।।
ଯେବେ ଅଜାଣତରେ
ଅପରିଚିତ ନାଆଁଟିଏ ହୃଦୟରେ
ସ୍ପନ୍ଦନ ବଢ଼େଇ ଦେଇ
ହେଇଯାଇଥିଲା ଅତି ନିଜର
ସମସ୍ତଙ୍କ ଅଜାଣତରେ
ମୋ ହୃଦୟର ଅଙ୍କୁରିତ ପ୍ରେମ ଚ଼ାରାଟି
ମହାଦ୍ରୁମ ହୋଇ ଯାଇଥିଲା
ତାର ଉଷ୍ମତାରେ
ମୋ ମନର ଅସୁମାରି ଭାବନାଗୁଡ଼ିକ
ପରିଚୟ ହେବା ପାଇଁ
ରାତିରେ ସତେକି ଦଂଶନ କରୁଥିଲେ ।।
ଠିକ ସେମିତି ଏଇ ପରିପକ୍ୱ ବୟସରେ
କିଛି ସମୟର ଅବହାୱାରେ
ପୁରା ବଦଳି ଯାଇଛି ଆମ ଭାବନା
ସ୍ୱପ୍ନ ନୁହେଁ ବାସ୍ତବତା ହିଁ ଜୀବନ ପରିଚ଼ୟ ହିଁ
ଆମ ପରିବାରର
ଆବଶ୍ୟକତା ପୁରଣ କରୁ କରୁ
ବନ୍ଧୁ ବାନ୍ଧବମାନଙ୍କ ଗହଣରେ
କର୍ମମୟ ଜୀବନ ଜଞ୍ଜାଳରେ
ସେଇ ପିଲା ଦିନର ଅଭୁଲା ସ୍ମୃତି ସବୁ
ଏବେ ଅପରିଚ଼ିତ ପରି ଲାଗନ୍ତି ।।
କେବେ କେମିତି ମନେ ପଡ଼େ ଯଦି
ଅତୀତର
ସେଇ ଚ଼ପଳାମି/ ଯୌବନର ଭାବନା
ନିଜ ପାଖାପାଖି ଥିବା ସ୍ମୃତି ସବୁ
ମୋ ହୃଦୟରୁ ଆଖି ଯାଏଁ
ଜଳଜଳ ହୋଇ ଝଲସି ଉଠନ୍ତି
ବୁକୁରେ ଫୁଲି ଯାଉଥିବା କୋହ
ଆଖିରେ ଲୁହହୋଇ ଜକେଇଲା ବେଳେ
ଜହ୍ନ ତାରା ଦେଖି ବାଆଁରେଇ
ମନର ଆବେଗକୁ
କଳ୍ପନାର ଆରପାରି ହୃଦୟରେ
ଯାକି ଯୁକି କୃତ୍ରିମ ହସ ଟିକକ
ଓଠରେ ଝଲସି ଉଠେ
ପରିଚୟହୀନ ସମୟ ସବୁ
ଚ଼ିହ୍ନା ପରିଚୟ ହୋଇ
ମୋ ସହିତ ବୟସର ରାଜପଥରେ
ହାତଛନ୍ଦି ଆଗକୁ ବଢ଼ି ଚ଼ାଲନ୍ତି ।।