ବୟସର ଆୟୁଷ
ବୟସର ଆୟୁଷ
ବୟସ ବଢିଲେ ଆୟୁଷ କମଇ
ଚିରନ୍ତନ ଏଇ ରୀତି ।
ଆୟୁଷ ବଢିଲେ ବୟସ ବଢଇ
ବସି ଭାବ ଦିନ ରାତି ।୧।
ଯେତିକି ଯେତିକି ବୟସ ବଢୁଛି
କମୁଛି ତା ଆୟୁଷରୁ ।
ନିର୍ଦ୍ଧାରିତ ଥିଲା ଯେତିକି ଆୟୁଷ
କମିଲା କିଛି ତହିଁରୁ ।୨।
କେତେ ବର୍ଷ ହେଲା ବୟସ ତୁମର
ଯଦି କେହି ପଚାରୁଛି ।
ମୋତେ ଆସି ହେଲା ପଞ୍ଚଷଠି ବର୍ଷ
ଉତ୍ତର କେହି ଦେଉଛି ।୩।
ପଞ୍ଚଷଠି ବର୍ଷ ବୟସ ତାଙ୍କର
ଆୟୁଷରୁ କମିଗଲା ।
ସେକଥାଟି ସିଏ ନ କହି କହିଲେ
ପଞ୍ଚଷଠି ମୋତେ ହେଲା ।୪।
ଭିନ୍ନ ଭିନ୍ନ ରୂପେ କାଳ ବସିଅଛି
କରୁଛି ଆୟୁ ହରଣ ।
ଆୟୁଷ ନଥିଲେ ନ ଛାଡେ କାହାକୁ
କରେ ଦେହ ଅବସାନ । ୫।
ପଞ୍ଚଷଠି ବର୍ଷ ବୟସ ଯାହାର
ପଞ୍ଚଷଠି ବର୍ଷ ଆୟୁ ।
ଗଲାଣି ତାହାର ସେତିକି ବୟସ
ଆଉ ଯାହା ଅଛି ଥାଉ ।୬।
ଦଣ୍ଡ ଦିନ ମାସ ବର୍ଷ ହୋଇ ଆମ
ଆୟୁଷ ହେଉଛି କ୍ଷୟ ।
କେତେ ବୟସ ଆଉ ବା ରହିଅଛି
କିଏ ସେ କହିବ କହ ।୭।
ଆୟୁଷ କମୁଛି ବୟସ ବଢୁଛି
ଆୟୁଷର ସୀମା ରେଖା ।
ଅତିକ୍ରମ କରି ନ ପାରେ ବୟସ
ଉଭୟେ ହୁଅନ୍ତି ସଖା ।୮।
ଆୟୁଷ ସରିଲେ ଜୀବନ ନାଟକ
ଅନ୍ତ ହୁଅଇ ଆମର ।
କମି କମି ଯାଇ ଆୟୁଷ ଶେଷରେ
ବୟସ ହୁଅଇ ସ୍ଥିର ।୯।