ହେ ଗୁରୁ ତୁମେ ମଙ୍ଗଳମୟ
ହେ ଗୁରୁ ତୁମେ ମଙ୍ଗଳମୟ
ହେ ଗୁରୁ ତୁମେ ମଙ୍ଗଳମୟ
ତୁମ ଶିକ୍ଷାରେ ଦୀକ୍ଷାରେ
ଶିଷ୍ୟ କରିଥାଏ ନିଜକୁ ଜୟ
ତୁମେ ଦିଅ ଅଭୟ
ଶୁଦ୍ଧ ପବିତ୍ର କର ହୃଦୟ।
ଗୁରୁ ବିନା ମିଳେ ନାହିଁ ଦିବ୍ୟଜ୍ଞାନ
ଗୁରୁ ତୁମେ ସାକ୍ଷାତ୍ ପରଂବ୍ରହ୍ମ
ମନେ ପ୍ରାଣେ ଆଣିଦିଅ ଜାଗରଣ
ଗୁରୁ ତୁମେ ମାର୍ଗର ମାର୍ଗ
ଘନ ଅମା ଅନ୍ଧାରର ଦୁଃଖ ଯେତେ
ଅଚିରେ କର ନିବାରଣ।
ଆଶିଷରେ ତୁମର ହୁଏ ପରିପୂର୍ଣ୍ଣ
ଜୀବନର ଆଶା ଆକାଂକ୍ଷା
ତୁମେ ସୂର୍ଯ୍ୟ ସମ ତେଜିୟାନ
ଜ୍ଞାନର ଆଲୋକେ କର ସୁରକ୍ଷା।
ତୁମେ ତ୍ରିଦେବ ବ୍ରହ୍ମା ବିଷ୍ଣୁ
ମହେଶ୍ବରଙ୍କର ପ୍ରତୀକ
ଧର୍ମ ନ୍ୟାୟ ନୀତିର ଧ୍ଵଜା ଧରି
ରଖିଥାଅ ସୃଷ୍ଟିର ଟେକ।
ଇଚ୍ଛାରେ ତୁମର କରିପାର
ଅଙ୍ଗାରକୁ ଦୀପ୍ତିମାନ ହୀରକ
ସାରା ସଂସାରରେ ନାହିଁ କେହି
ତୁମର ପରି ପଥପ୍ରଦର୍ଶକ।
ହେ ଗୁରୁ ତୁମେ ମଙ୍ଗଳମୟ
ତୁମ କୃପା ବଳେ ପାପ ହୁଏ କ୍ଷୟ
ତୁମେ ଚିରନ୍ତନ ସତ୍ୟର ପ୍ରକାଶ
ଶକ୍ତି ସାମର୍ଥ୍ୟ ଦିଅ ଭରି
ବସୁଧାକୁ କରିବା ଲାଗି ମଧୁମୟ।
ତୁମ ଶରଣେ ଶିଷ୍ୟ ହୁଏ
ଆଉଟା ସୁବର୍ଣ୍ଣ ପରି ବିଶୁଦ୍ଧ
ଜ୍ଞାନ ଗାରିମାର ଜ୍ୟୋତି ପ୍ରକାଶି
ଶ୍ରମ ସାଧନରେ ହୁଏ ସିଦ୍ଧ।
ଗୁରୁର ଗୁରୁତ୍ଵ ମହତ୍ତ୍ଵ
ଉପଯୁକ୍ତ ଶିଷ୍ୟ ବୁଝି ଅନ୍ତରରେ
ପ୍ରତିଭା ବିକାଶେ ଦୁନିଆଁରେ
ଗୁରୁ ବ୍ୟତିରେକ ନାହିଁ ଶାନ୍ତି
ଗତି ପ୍ରଗତି ମୁକ୍ତି ଶିଷ୍ୟ ଜୀବନରେ
ଗୁରୁ ଜନମେ ଜନମେ ହୁଅନ୍ତି
ସୁରକ୍ଷାର ତରୀ ଏ ଭବ ସାଗରରେ।
ଜୀବନ ଯାତ୍ରାରେ ହେବାକୁ ବିଜୟ
ତୁମ ପାଦେ ରହୁ ସଦା ଲୟ
ଶୁଭଦୃଷ୍ଟି ଦେଇ ହୋଇଥାଅ ସଦୟ
ହେ ଗୁରୁ ତୁମେ ମଙ୍ଗଳମୟ।