ଜହ୍ନରାତିରେ ରେଳଯାତ୍ରା
ଜହ୍ନରାତିରେ ରେଳଯାତ୍ରା
ଯିବା ଆସିବାର ପଥକ୍ଳାନ୍ତି ହୋଇଥାଏ ଲାଘବ
ହୃଦୟରେ ହୁଏ ଯଦି ଅପୂର୍ବ ଆନନ୍ଦ ଅନୁଭବ
ଜୀବନ ଯାତ୍ରାର ପଥେ ଯାଉଥିଲେ ପଥିକ
ଚାହେଁ ସେ ଯାତ୍ରା ତାର ହେଉ ଶୁଭଦାୟକ
ଦୈନଦିନର ଯା' ଆସ ମଧ୍ୟେ ଲାଗେ ନିଆରା
କରୁଥିଲେ ଯାତ୍ରୀ ଜହ୍ନ ରାତିରେ ରେଳଯାତ୍ରା
ସେ ଅନୁଭବ ଅନୁଭୂତି ରହେ ଅପାସୋରା
ଆନନ୍ଦେ ଉଲ୍ଲସିତ ହୋଇ ଉଠୁଥାଏ ମନ
ନୀଳ ଆକାଶରେ ହସୁଥାଏ ପୁନେଇଁ ଜହ୍ନ
ଚୁନା ଚୁନା ଜୋଛନା ତାର ପଡ଼ୁଥାଏ ଝରି
ତା' ଶୀତଳ ମୃଦୁ ସମୀର ଯାଉଥାଏ ସ୍ପର୍ଶ କରି
ବସି ବାତାୟନ ପଥେ ଦେଖୁଥିଲେ ନିରେଖି
ଝଲସି ଉଠୁଥାଏ ଦୃଶ୍ୟରାଜି ପୁରିଯାଏ ଆଖି
ଗଛଲତା ଭରା ବଣ ବିଲ ପାହାଡ଼ର ଧରିତ୍ରୀ
ଅଙ୍କାବଙ୍କା ନଦୀରେ ଜଳ ସ୍ରୋତର ଲହରୀ
ଅଭିନବ ଲାଗେ ସେ ଜହ୍ନ ରାତିର ପ୍ରକୃତି ଶିରୀ
ରୂପେଲି ବସନ ପିନ୍ଧି ଓହ୍ଲାଇ ଆସିଛି କି ପରୀ
ଅନିନ୍ଦ୍ୟ ସୁନ୍ଦରୀ ସ୍ବର୍ଗର ଦେବୀ ସେ ଅପସରୀ
ତାର ରୂପ ଲାବଣ୍ୟରେ ନିଏ ମନୋହରୀ
ରୂପା ଜହ୍ନକୁ ଦେଖି ମନରେ ସପନ ଯାଏ ଭରି
ଆଶା ସ୍ବପ୍ନ ମନ ପ୍ରାଣକୁ ଛୁଇଁ ଯାଏ ଅସୁମାରୀ
ଲାଗେ ଭିନ୍ନ ଏକ ରାଇଜକୁ ଚାଲିଗଲା ପରି
ମନକୁ ଆସେ ନାହିଁ ଜଗତ ଜଞ୍ଜାଳର ଚିନ୍ତା
ଦିବ୍ୟ ଦର୍ଶନର ଆନନ୍ଦରେ ମିଳଇ ପୂର୍ଣ୍ଣତା
ଦୀର୍ଘ ସମୟ ବିତିଯାଏ ଲାଗେ ମୁହୂର୍ତ୍ତଟିଏ
କାହିଁ କେତେ ଦୂର ନିମିଷକରେ ଯାଇ ହୁଏ
ଭାବନାର ରାଇଜରୁ ହଟେନା ଯାତ୍ରୀର ଧ୍ୟାନ
ଯାଦୁକରୀ ସମ୍ମୋହନରେ ରହିଥାଏ ସେ ମଗ୍ନ
ଠିକଣା ସ୍ଥାନରେ ରେଳ ଯେବେ ପହଞ୍ଚି ଯାଏ
ବାସ୍ତବତାର ଜୀବନକୁ ନେଇ ସେ ରହିଥାଏ
ପାସୋରି ପାରେନା ସେ ସ୍ମୃତି ରଖେ ସାଇତି
ଭାବ ଭାବନା କଳ୍ପନାର ଜୀବନ ତ ଜହ୍ନ ରାତି।