ଜହ୍ନ
ଜହ୍ନ
ଆଗୋ ଶୁଭ୍ରବର୍ଣ୍ଣା ଗଗନ ଲଳନା
ରୂପେଲି ପୀୟୂଷ ହସ,
ରୂପ ମାଦକରେ ବିଭୋରିତ ସର୍ବେ
ପ୍ରେମିକ ମନରେ ରାସ ।
ଗୋଧୂଳିର ଅନ୍ତେ ଜୋଛନାର ପଥେ
ତମିସ୍ରାକୁ ଭେଦି ଆସ,
ଅନ୍ଧକାର ରାତି ହଜାଏ ତା ଭୀତି
ପାଇ ତବ ମଧୁସ୍ପର୍ଶ ।
ଉତ୍ତଳ ତରଙ୍ଗ ମୋତି ଝର ରଙ୍ଗ
ଚତୁର୍ଦ୍ଦିଗେ ଶ୍ଵେତ ଶୋଭା,
ଶୁଭ୍ର ଓଢଣୀରେ ନବବଧୂ ଧରା
ସୁଶୀତଳ ସ୍ନିଗ୍ଧ ଆଭା ।
ଖଣ୍ଡ ବାଦଲର ଉହାଡୁ ଉହୁଙ୍କି
କିଛି କ୍ଷଣ ଲୁଚିଯାଅ,
ମେଘ ବାଉଳାଟା ଅପସରି ଗଲେ
ଖିଲି ଖିଲି ହସୁଥାଅ ।
ଗଗନ ରାଇଜ ରାଜକୁମାରୀ ଗୋ
ଲକ୍ଷ ଲକ୍ଷ ତାରା ସଖୀ,
ତବ ଦରଶନେ ପ୍ରୀତି ଭରେ ମନେ
ଫେରେନା ଅଝଟ ଆଖି ।