ଜହ୍ନ
ଜହ୍ନ
ପୁନେଇଁ ଜହ୍ନ ମୁଁ କାଳିମା ଆକାଶେ
କୁମୁଦର ପ୍ରାଣ ପ୍ରିୟ
ନକ୍ଷତ୍ର ଗହଣେ ଆଭା ପରକାଶେ
ହୋଇଲେ ରାତ୍ରି ସମୟ।।
ଗଗନେ ଭୁବନେ ବ୍ୟାପିଯାଏ ସଦା
ମୋର ଶୀତଳ ଜୋଛନା
ସାଗର ଛାତିରେ ଜୁଆର ଉଠାଇ
କରେ ତାକୁ ଆନମନା।।
ଦେଖିଛି ମୁଁ କେତେ କବିକୁଳ ଯେତେ
କରିଛନ୍ତି ମୋର ବ୍ୟାଖ୍ୟା
କେବୋଲେ ଶଶାଙ୍କ କେ କହେ ଚନ୍ଦ୍ରମା
କିଏ ଦିଏ ଇନ୍ଦୁ ଆଖ୍ୟା।।
ବିରହି ପ୍ରେମିକ ମୋ ମୁଖ ମଣ୍ଡଳେ
ପ୍ରେମିକାର ମୁହଁ ଖୋଜେ
ଛୋଟ ଶିଶୁଙ୍କର ଖୁସିର ଆସର
ଜହ୍ନ ମାମୁଁ ପୁଣି ସାଜେ।।
ମୁଁ ଯେ ଶେଫାଳିର ଯାତନାର ସାକ୍ଷୀ
ରଜନୀଗନ୍ଧାର ବାସ
ଝରା ଶେଫାଳି ବା କାହିଁକି ଜାଣିବ
ମୋ ମନ ଅବଶୋଷ।।
ଶଶକ ଛୁଆର ମୃଗତୃଷ୍ନା ସାଜି
ଶଶାଙ୍କ ନାମ ବୋଲାଏ
ବାଦଲ ଉହାଡୁ ଲୁଚି ଲୁଚି କେବେ
କଳଙ୍କ ମୋ ଧୋଉଥାଏ।।
କୃଷ୍ଣ ପକ୍ଷେ କେବେ ଆସେ ନାହିଁ ମୁଁ ଯେ
ଶୁକ୍ଳ ପକ୍ଷେ ଆସିଯାଏ
ମୋ ମନ ଯାତନା ଅବା ଉନ୍ମାଦନା
ଧରଣୀ ରାଣୀ କୁ କୁହେ।।