ଗୁରୁ ତୁମେ ମୋ ଜୀବନର ଦିବ୍ୟ ଆଲୋକ
ଗୁରୁ ତୁମେ ମୋ ଜୀବନର ଦିବ୍ୟ ଆଲୋକ
ଅଜ୍ଞାନ ତିମିର ମହା ଅନ୍ଧକାରୁ
ଜ୍ଞାନାଞ୍ଜନ ଜ୍ୟୋତି ଦେଇ
ସଂସାର ଭିତରେ କରନ୍ତି ସ୍ଥାପିତ
ସେ ଗୁରୁ ପଦେ ନମଇ।।
ଭାବରେ ଅତୀତ ତ୍ରିଗୁଣ ରହିତ
ତତ୍ତ୍ୱମସି ଲକ୍ଷ୍ୟ ଯାର
ସକଳ ଶ୍ରୁତିର ଯେତେ ରତ୍ନସାର
ସେବିବି ତାଙ୍କ ପୟର।।
ଜ୍ଞାନ ଶକ୍ତି ବିଦ୍ୟା ଗଳାରେ ଯା ଛନ୍ଦା
ସେହି ଗୁରୁ ବିଶ୍ଵପତି
ନୋହେ ପାପବିଦ୍ଧ ସେ ଅତ୍ୟନ୍ତ ଶୁଦ୍ଧ
ଦିଅହେ ମତେ ମୁକତି।।
ଗୁରୁଙ୍କ ଠୁ ବଳି ଜପ ଆଉ ନାହିଁ
ବଡ କିଛି ତପ ନାହିଁ
ନରକ କୁଣ୍ଡରୁ ଉଦ୍ଧାର କରନ୍ତି
ଗୁରୁନାମ ଭୁଲ ନାହିଁ।।
ଆଦି ଅନାଦିର ଉର୍ଦ୍ଧ୍ବରେ ତ ଗୁରୁ
ଗୁରୁ ପରମ ଦେବତା
ଅକାଶୁ ଉଦାର ସତ୍ତା ଯେ ନିର୍ମଳ
ଗାଅ ଗୁରୁଙ୍କର ଗାଥା।।
ଜ୍ଞାନ ଚକ୍ଷୁ ଦାନ ଭୋଗ ମୁକତିର
ଆଧାର ଅଟନ୍ତି ଗୁରୁ
ଗୁରୁ ସର୍ବାଧାର ମୁକ୍ତିର ଆଧାର
ସବୁମିଳେ ଗୁରୁ ଠାରୁ।।
କଳୁଷହାରୀ ହେ ଅଜ୍ଞାନ ନାଶକ
ଗୁରୁ ସର୍ବ ତୀର୍ଥ ବ୍ରତ
ମନ୍ତ୍ର ଯନ୍ତ୍ର ଶାସ୍ତ୍ର ଗୁରୁ ଇଷ୍ଟ ବ୍ରହ୍ମ
ଗୁରୁ ନିରନ୍ତର ସତ୍ୟ।।
ପ୍ରାରବ୍ଧ ରୋଧକ ଜ୍ଞାନ ପ୍ରଦାୟକ
ଅନୁକୂଳ ପ୍ରତିକୂଳ
ଗୁରୁ କୃପା ବଳେ ନିସ୍ତାରନ୍ତି ସର୍ବେ
ମୋହେ ବଦ୍ଧ ଜୀବକୁଳ।।
ପ୍ରେମର ମନ୍ଦିର କରୁଣା ସାଗର
ପୂର୍ଣ୍ଣ ବ୍ରହ୍ମ ନିର୍ବିକାର
ତୁମେ ଅଭିମାନ ଦିଅ ଦିବ୍ୟଜ୍ଞାନ
ସଂସାରୁ କର ଉଦ୍ଧାର।।
ଗୁରୁ ତୁମେ ଏକା ସାହା ଅଛ ମୋର
ଇହ ଲୋକ ପର ଲୋକ
ଜୀବନ ଅନ୍ଧାରେ ଗୁରୁହିଁ ତ ତୁମେ
ସାଜିଛ ଦିବ୍ୟ ଆଲୋକ।।