ଜହ୍ନ ଯେବେ ହସେ
ଜହ୍ନ ଯେବେ ହସେ
ଝରକା ସେ ପାଖେ ଜହ୍ନ ହସିଦେଲେ
ସପନ ଲହରୀ ଭାଙ୍ଗେ
ଆଖି ଅଗଣାରୁ ନିଦ ହଜି ଯାଏ
ମନରେ ଡେଣାଟି ଲାଗେ।
ମୌସୁମୀ ପରଶେ ଭିଜା ଭିଜା ଜହ୍ନ
ମୁହକୁ ଲୁଚାଏ ଲାଜେ
ବଉଦ ଫାଙ୍କରେ ଲୁଚକାଳି ଖେଳି
କାହାକୁ ବା ସତେ ଖୋଜେ ।
ଟିକି ଟିକି ତାରା ରାତି ଆକାଶରେ
ହୁଅନ୍ତି ଯେ ଝଲ ମଲ
ମନ ଉଡିଯାଏ ଜହ୍ନ ରାଇଜକୁ
ଦେଖିବାକୁ ତାଙ୍କ ଖେଳ।
ତାରକା ହାରରେ ପଦକଟେ ପରି
ଶୋଭା ପାଉଥାଏ ଜହ୍ନ
ଶୀତଳ ଜୋଛନା କରି ବିକିରଣ
ଆଲ୍ହାଦିତ କରେ ପ୍ରାଣ।
ଜହ୍ନଠାରୁ ଦୂରେ ଥାଇ ସରସୀରେ
କୁମୁଦିନୀ ହସୁଥାଏ
ପ୍ରେମ ଯେ ଶାଶ୍ୱତ ସତ୍ୟ ଚିରନ୍ତନ
ଏହି କଥା କହିଯାଏ।