ଜହ୍ନ ଓ ମନ
ଜହ୍ନ ଓ ମନ
ହାତ ପାହାନ୍ତାରେ ଥିଲା ମୋର ଜହ୍ନ
କହୁଥିଲା ତୋଳି ନିଅ
ନିଜ ହାତେ ଧରି ଜୋଛନାକୁ ମୋର
ନିଜ ଦେହେ ବୋଳି ହୁଅ I
ଜହ୍ନ ରାଇଜରେ ଜହ୍ନକୁ ଛୁଇଁନି
ଦେହକୁ ପଥର କରି
ହୃଦୟର କୋହ ହୃଦୟେ ଚାପିଛି
ସେ ଅତି ନିଜର ବୋଲି I
ମନ କଥା ମୋର ମନରେ ହିଁ ଅଛି
କିଛି ମୁଁ ପାରିନି ଖୋଲି
କେହି ଜଣେହେଲେ କେବେ ବି ନ କହୁ
ଜହ୍ନ କଳଙ୍କିନୀ ବୋଲି I
ସାରା ଦୁନିଆ ତ ତାକୁ ଭଲପାଏ
ସିଏ ମୋତେ ଭଲପାଏ
ସେଥି ପାଇଁ ସିନା ନିରବ ରହିଛି
ଭିଜି ଭିଜି ଆଖି ଲୁହେ I
ଜହ୍ନର ଜୋଛନା ଛୁଇଁବ ମୋ ଦେହ
ମନରେ ରଖିଛି ଆଶା
ସେ ଦିନ ତା କାନେ କହିବି ସଧିରେ
ପ୍ରଣୟର ମିଠା ଭାଷା I
