ଝିମିଟି ଖେଳ
ଝିମିଟି ଖେଳ
ସଭିଏଁ ଳାଣନ୍ତି ଝିମିଟି ଖେଳରୁ
ହୋଇଲା ମହାଭାରତ।
ମହାମାନୀ ଦୁର୍ଯ୍ୟୋଧନ ତାଙ୍କ ପିତା
ଧୃତରାଷ୍ଟ୍ର ମୂଳ ସତ ।
ଦୁଃଶାସନ ଶକୁନି ଦୁହେଁ ଢାଳିଲେ
ଘିଅ ଏ ନିଆଁ ଖେଳରେ।
ସବଂଶେ କୌରବ ନିଧନ ହୋଇଲେ
ମହାଭାରତ ଯୁଦ୍ଧରେ ।
ମହା ମହାରଥୀ କଉରବ ପକ୍ଷେ
ଯେତେ ସବୁ ଥିଲେ ରହି।
ମହାଭାରତର ସମରରେ ସର୍ବେ
ଜୀବନ ହାରିଲେ ତହିଁ ।
ପାଣ୍ଡବ ପକ୍ଷରେ ଶ୍ରୀକୃଷ୍ଣ ରହିଲେ
ଅର୍ଜୁନ ସଖ୍ୟରେ ଥାଇ।
ପାଣ୍ଡବ ପ୍ରିୟ ବୋଲାଇଲେ ରଖିଲେ
ତାହାଙ୍କୁ ଘଣ୍ଟ ଘୋଡାଇ।
ପଶାଖେଳେ ହାରି ରାଜ୍ଯ ଭାଇ ସ୍ତିରୀ
ନିିଜେ ରାଜା ଯୁଧିଷ୍ଠିର ।
ମାତା ଭ୍ରାତା ପତ୍ନୀ ସଙ୍ଗେ ବନବାସ
କଲେ ଦ୍ବାଦଶ ବତ୍ସର।
ଅଜ୍ଞାତ ବାସରେ ସର୍ତ୍ତ ଅନୁସାରେ
ରହିଲେ ଏକ ବରଷ।
ରାଜସଭା ତଳେ ଦ୍ରୌପଦୀ ବିବସ୍ତ୍ର
ଥାଏ ମନରେ ବିରସ।
ଦୁଃଶାସନ ରକ୍ତେ ମୁକୁଳା କେଶକୁ
ଦ୍ରୌପଦୀ ବାନ୍ଧିବା ପାଇଁ।
କରିଥିଲେ ପଣ ଭୀମ ପଣ ଦୁଃଶା
ହସ୍ତକୁ ଦେବେ ଛିଣ୍ଡାଇ।
ଭୀଷ୍ମ ଦ୍ରୋଣ ସବୁ ରହି ଦେଖୁଥିଲେ
ରାଜସଭାରେ ଏ ଖେଳ।
ନୀରବ ରହିଲେ କିଛି ନକହିଲେ
କର୍ଣ୍ଣ ଦୁର୍ଯ୍ୟୋଧନ ବଳ।
ତେରବର୍ଷ ଗଲା ପାଞ୍ଚ ପଡା ମାଗି
ଶ୍ରୀକୃଷ୍ଣ ହସ୍ତିନା ଗଲେ।
ବିନା ଯୁଦ୍ଧେ ସୂଚ୍ୟଗ୍ର ମେଦିନୀ ନଦେବେ
ଦୁର୍ଯ୍ୟୋଧନ କହିଲେ।
ମହାଭାରତ ଯୁଦ୍ଧ ଲାଗିଲା ସିନା
ଝିମିଟି ଖେଳ ହେବାରୁ ।
ଝିମିଟି ଖେଳଟି ଛୋଟ ଖେଳ ନୁହେଁ
ଶିକ୍ଷା ମିଳିଲା ଏଥିରୁ।
