ଝିଅ ତ ସରଗ ପରୀ
ଝିଅ ତ ସରଗ ପରୀ


ଓହ୍ଲେଇ ଆସିଛି ଦେଖ ସରଗୁ ତାରା,
ଆମେ ସବୁ ମୋତି ସିନା ସିଏ ତ ହୀରା । (ଘୋଷା )
ତନୁଟି ତା'ର କୋମଳ-ମନଟି ସତେ ନିର୍ମଳ,
ଜାଣେନା ପର-ଆପଣା, ହସ ତା'ର ମନଜିଣା ।
ଆଖି ଦୁଇଟି ତାହାର ସପନ ଭରା ।
ଓହ୍ଲେଇ ଆସିଛି ଦେଖ ସରଗୁ ତାରା ।(1)
କୁନିକୁନି ଟିକିପାଦ, ହଲିଗଲେ ହୁଏ ଛନ୍ଦ,
ସବୁ ସୁନାନାକି ଝିଅ, କାନରେ ଝୁମୁକା ଦିଅ ।
ନାଲି ଓଠେ ହସ ତା'ର ଅମୃତ ଧାରା ।
ଓହ୍ଲେଇ ଆସିଛି ଦେଖ ସରଗୁ ତାରା ।(2)
ଝିଅ ତ କନ୍ୟା ରତନ, ମଣି ମାଣିକ ସମାନ,
ତା'ର ପରିଚୟ ପୁଣି, ଜାୟା ଜନନୀ ଭଗିନୀ ।
ତାକୁ ସୁରକ୍ଷା ଦେଲେ ସେ ଦିଶିବ ତୋରା ।
ଓହ୍ଲେଇ ଆସିଛି ଦେଖ ସରଗୁ ତାରା ।(3)
ଝିଅ ତ ସରଗ ପରୀ, ସୁରକ୍ଷା ମାଗେ ଆମରି,
ତାକୁ ଆମେ ଶରଧାରେ, ବଢ଼ାଇବା ଯତନରେ ।
ତାକୁ ହସାଇଲେ ସିନା ହସିବ ଧରା ।
ଓହ୍ଲେଇ ଆସିଛି ଦେଖ ସରଗୁ ତାରା ।(4)