STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଝଡା ଫୁଲ "

"ଝଡା ଫୁଲ "

1 min
35

ଏ ଜୀବନ ବନ୍ଧୁ ଝଡା ଫୁଲଟିଏ 

       କେତେବେଳେ ଯିବ ଝଡି 

କିଏ ଜାଣେ କେବେ ଏଇ ପ୍ରାଣ ପକ୍ଷୀ 

          ଘଟ ଛାଡି ଯିବ ଉଡି ll

ନିଃଶ୍ୱାସକୁ ଏଠି ବିଶ୍ୱାସ ତ ନାହିଁ 

          କି ଭରସା ଅଛି ତାକୁ? 

ସକାଳ କଥା ତ ସଞ୍ଜକୁ ନଥାଏ 

         ବେଳ କାହିଁ ଭାବିବାକୁ ll

ସକାଳ ଫୁଲର ସତେଜତା ପୁଣି 

          ସଞ୍ଜକୁ ମଉଳି ଯାଏ 

ସକାଳର ଖୁସି ନଥାଏ ସଞ୍ଜକୁ 

         ଲୁହ ହୋଇ ଝରୁଥାଏ ll

ରାତିର ସପନ ନିଦ ଭାଙ୍ଗିଗଲେ 

          ଦିନକୁ ନଥାଏ ମନେ 

ଆଶା ପ୍ରଜାପତି ଭୁଲେ ତା'ର ଗତି 

         ମାୟାର ପୁଷ୍ପକ ବନେ ll

ନା ହୁଅଇ ସତ, ନା ହୁଏ ପ୍ରତୀତ 

         ଏ ମନ ଭାବଇ ଯାହା 

ଏ ଜୀବନ ବନ୍ଧୁ ସମୟର ଦାସ 

       ମିଳେନାହିଁ କେବେ ତାହା ll

ମନ ଆକାଶର ଇନ୍ଦ୍ରଧନୁ ସମ

          ସ୍ବପ୍ନର ସପତ ରଙ୍ଗ 

ଅଦିନିଆ ଝଡ଼ ମାଡି ଆସି କାହୁଁ 

          କରିଦିଏ ମୋହଭଙ୍ଗ ll

ଅଭିଳାଷ ଏଠି ଅଙ୍କୁଶ ଗର୍ତ୍ତରେ 

          ପଡି ହୁଏ କଲବଲ 

ନିଜ ଭାଗ୍ୟ ଏଠି ନିଜର ହୁଏନି 

          କର୍ମକୁ କରିଣ ଢାଲ ll

କ୍ଷଣେ କ୍ଷଣେ ଆନ ଏ ସଂସାର ଗତି 

         ହସ ଆଉ ଲୁହ ଭରା 

ସୁଖ ସନ୍ଧାନରେ ବୁଲୁ ବୁଲୁ ଏଠି 

        ଦୁଃଖ ଦିଏ ଆସି ଧରା ll

ଏ ଜୀବନ ପଥ ଭାରି ଅଙ୍କା ବଙ୍କା 

          ନୁହଁଇ ସହଜମୟ 

କାଳର କୁଟିଳ ଚକ୍ରାନ୍ତ ପାଖରେ 

         ଏ ଜୀବନ ଅସହାୟ ll

ବାସି ଫୁଲଟିର ପାଖୁଡା ଯେପରି 

       ଟୁକୁଡାରେ ପଡେ ଝଡି 

ସେଇପରି ଦିନେ ଏ ମାଟି ଘଟରୁ 

        ପ୍ରାଣବାୟୁ ଯିବ ଉଡି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy