STORYMIRROR

Surjyakanta Dash

Tragedy Classics Inspirational

3  

Surjyakanta Dash

Tragedy Classics Inspirational

ଜେଜେ ବାପା

ଜେଜେ ବାପା

2 mins
365


ବାପା

ଆଜି ତୁମେ ନିସ୍ତବ୍ଧ

ତୁମ ଓଠରେ ହସ ନାହିଁ

ଦେହ ପଞ୍ଜୁରୀରୁ ସଦ୍ୟ

ବାହାରି ଯାଇଛି ଆତ୍ମା

ଚାରିପଟେ ଘେରି ରହିଛନ୍ତି

ବନ୍ଧୁ ପରିଜନ

ଆକୁଳ କ୍ରନ୍ଦନରେ ଫାଟି ପଡୁଛି

ସାରା ପରିବେଶ

ବାହାରେ ବର୍ଷାର ତାଣ୍ଡବ

ବୋଧହୁଏ ତୁମେ ଚାଲିଯିବାର ଦୁଃଖରେ

ପୃଥିବୀ ଆଦ୍ର

ହେଲେ ତୁମେ କଣ ଅଛ !

ଦେଖିବାକୁ ନା ଶୁଣିବାକୁ ?

ତୁମେ କିନ୍ତୁ ନିରୁତ୍ତର

ସାରା ଶରୀରରେ ବୋଳା ଚାଲିଛି ଅବିର

ମୁଣ୍ଡରେ ତିଳକ

ଦେହସାରା ଗେଣ୍ଡୁ ମାଳ

ବିଛେଇ ହୋଇ ପଡ଼ିଛି

ସତେକି ନାଗ ଫାଶରେ ତୁମେ

ଆଉ ଉଠିବନି

ଉତ୍ତର ବି ଦେବନି

ଉଠିବ ବା କିପରି

ଆଉ କଣ ସଂଜିବନି ଅଛି

ନା ସଞ୍ଜିବନୀ ଆଣିବାକୁ କିଏ ଅଛନ୍ତି

ହଁ ଅଛନ୍ତି ନିଶ୍ଚୟ

ତୁମ ଚାରିଖଣ୍ଡ ହାଡ଼ର ପଞ୍ଜରାକୁ

ଛଅଖଣ୍ଡି କାଠରେ ଶୁଆଇ ଦେଇ

ବୋହିନେବା ପାଇଁ ମହୋଦଧି ତିରେ .

ଦେଖ ବାପା

ତୁମ ପାଇଁ ତୁମ ଭାଇ ମାନେ,

ପୁଅ ମାନେ, ବନ୍ଧୁ ମାନେ ସମସ୍ତେ ପାଗଳ

ତୁମ ପାଇଁ ଚାଲିଛି ସଜଡ଼ା

ଛଅଖଣ୍ତ ବାଉଁଶରେ ଗଢା କୋକୁଆ

କିଛି ସମୟ ପରେ ଟେକିନେବେ ତୁମକୁ

ବାନ୍ଧିଦେବେ ଜୋରରେ ପାଳ ଦଉଡିରେ

କୋକୁଆ ସହିତ ଜଡିଯିବ ତୁମେ

କଷ୍ଟ ହେବନି କି ତୁମକୁ ?

କଷ୍ଟ ତ ନିଶ୍ଚୟ ହେବ

ତୁମ ଦେହରେ ଯେ କିଛି ନ ଥିଲା !

ଦୁଇ ଖଣ୍ଡ ହାଡ଼ରେ ଗଢା ଶରୀର

ଟିକିଏ ବି ନଥିଲା ମାଂସ

କଷ୍ଟ ବା ହେବନି କେମିତି

ନିଶ୍ଚୟ ହେଉଥିବ

ହେଲେ କିଏ କଣ ଶୁଣିବେ !

କେହି ଶୁଣିବେନି

ରାମ ନାମ ସତ୍ୟ କହି 

ବୋହି ନେବେ ସ୍ବର୍ଗ ଦୁଆରକୁ

ତୁମେ କଣ ଅପେକ୍ଷା କରିବ ମୋତେ

ମୁଁ ତ ବହୁତ ଦୂରରେ

ଅପେକ୍ଷା ତ ନିଶ୍ଚୟ କରିଥାନ୍ତ

ହେଲେ,ତୁମେ ବା କଣ କରିବ ?

ତୁମ ହାତରେ କଣ କିଛି ଅଛି !

ଏଇତ, ଦୂର ଭାସରେ ମେସେଜ

ମୁଁ ଅଧା ବାଟରେ

ଅଳ୍ପ ସମୟ ବ୍ୟବଧାନରେ

ପହଞ୍ଚି ପାରିଥିଲେ ,

ଦେଖିପାରିଥାନ୍ତି ତୁମକୁ

ହେଲେ ପହଞ୍ଚିଲା ବେଳକୁ

ତୁମ ଦେହରେ ନିଆଁ 

ସଂଯୋଗ କରି ଦିଆଯାଇଥିଲା,

ତୁମକୁ କଣ କଷ୍ଟ ହେଉନି ? 

ଭାବିଲି - ଦେଖିଲି ତୁମକୁ

ତୁମକୁ ତ ନୁହେଁ !

ତୁମ ଅଧା ଜଳା ଜୁଇକୁ

ଯୋଉ ଅଗ୍ନି କୋଳାଗ୍ରତ କରିସାରିଥିଲା

ତୁମ ତୁମ ସମ୍ପୂର୍ଣ୍ଣ ଶରୀରକୁ

କେବଳ ପାଦ ଦୁଇକୁ ଛାଡ଼ି

ଅନୁଭବ କରୁଥିଲି

ତୁମର ପ୍ରତ୍ୟେକଟି ସ୍ପର୍ଶ

ତୁମେ ଛୁଇଁ ଯାଉଥିଲ ମୋତେ

ତୁମ ଜୁଇ ନିଆଁ ର ଧାସରେ

ଶୀତଳ କରିଦେଇଥିଲ ମୋର କୋହକୁ

ଅନ୍ତରାତ୍ମାରୁ ଭାସି ଆସୁଥିବା ଉଦବେଗକୁ

ତୁମ ମୁହଁକୁ ନ ଦେଖି ପାରିଲେ ମଧ୍ୟ

ଦେଖିଥିଲି ତୁମର ପାଦକୁ

ପ୍ରଣାମ କଲି ହାତ ଯୋଡ଼ି

ବୋଧହୁଏ ତୁମେ ଚାହୁଁଥିଲ ସେୟା

ଯାହା ମୋ ଭାବନାର ବହୁ ଦୂରରେ

ଯାହା ତୁମେ ଅନ୍ୟମାନଙ୍କୁ ନ ଦେଇ 

ସଞ୍ଚି ରଖିଥିଲ ମୋ ପାଇଁ

ତାହା ଆଜି ମୋତେ ଦେଇ

କୃତାର୍ଥ କରିଦେଲ ସାରା ଜୀବନ ପାଇଁ .

ସବୁ ଆଶୀର୍ବାଦ ଦେଇଗଲ ମୋତେ

ତୁମର ସେଇ ପାଦୁକା ଦ୍ବୟ ମାଧ୍ୟମରେ

ମୁଁ ଭାବବିହ୍ୱଳ ହୋଇ ଭାବୁଥିଲି

ତୁମର ଏଇ ଭଲପାଇବା

ବୋଧେ ଆଉ କେହି ଦେଇ ପାରିବେନି

ଆଉ ମଧ୍ୟ ସାନ୍ତୁଆ ବୋଲି

କେହି ଡାକିବେନି ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy