STORYMIRROR

Priyabrata Mohanty

Drama Tragedy

4  

Priyabrata Mohanty

Drama Tragedy

ଇନ୍ଦିରା ଆବାସ

ଇନ୍ଦିରା ଆବାସ

1 min
259

 


ଗରିବର ଭାଗ୍ୟେ ଥାଏ ଶାଗ ଖଡା,

କୁଡ଼ିଆରେ ରହେ ଛପର ଯେ ନଡ଼ା ।

ଦିନ ରାତି ଖଟି ପାଲଟିଛି ହଡ଼ା,

ଅସହାୟ ହୋଇ ରହିଛି ସେ ଜଡ଼ା ।୧।


ପରିବାର ବୋଝ ଦିଏ ସଦା ପୀଡ଼ା,

ଟେକି ନ ପାରଇ ଦାୟିତ୍ଵର ବିଡ଼ା ।

ବିକାଶର ପଥେ ପଡିଛି ତ ଆଡ଼ା,

ଇନ୍ଦିରା ଆବାସ ତା ପାଇଁ ଯେ ଲୋଡ଼ା ।୨।


ଯୋଜନାର ପେଡ଼ି ଧରି ମାନ୍ୟବର

ଆଣିଛନ୍ତି ଏଠି ବିଜୁ ପକ୍କା ଘର ।

ସରକାରୀ କଳ ଲଗାଏ ଯେ ଜୋର

ଦରିଦ୍ରର ଦୁଃଖ କରିବାକୁ ଦୂର ।୩।


ସବୁ ଗରିବଙ୍କୁ ମିଳିବ ଯେ ଘର

ରହିବନି ଜମା ଅସ୍ଥାୟୀ ଛପର

ନବକଳେବର ହେବ ପଲ୍ଲୀ ପୁର,

ପ୍ରଚାର ପ୍ରସାର କରେ ସରକାର ।୪।


ଅତ୍ୟନ୍ତ ସୁନ୍ଦର ଉଦେଶ୍ୟ ତାଙ୍କର

ଜନହିତ ପାଇଁ ସଦା ତତତ୍ପର ।

ଚଉସ୍ତରି ବର୍ଷ ଦେଶ ସ୍ଵାଧୀନର,

ହୁଏ ନାହିଁ କିଆଁ ଦରିଦ୍ରତା ଦୂର ।୫।


ଗରିବର ଧନ ଖାଏ ସରପଞ୍ଚ

କନିଷ୍ଠ ଯନ୍ତ୍ରୀ ଟି ମାଗୁଥାଏ ଲାଞ୍ଚ ।

ସବୁ କାମ ପାଇଁ ଲାଗେ ହାତ ଖର୍ଚ୍ଚ,

ଘୋଷଖୋରୀର ଏ ମୁକ୍ତ ରଙ୍ଗ ମଞ୍ଚ ।୬।


ଦଳୀୟ କରମି ହୋଇଲେ ରେ ବାବୁ

ମନ ମୁତାବକ ମିଳିବରେ ସବୁ ।

ନିର୍ବାଚନ କାଳେ ଭୋଟ ଖଣ୍ଡେ ଦେବୁ,

ଘର ନ କରିବି ପଇସା ପାଇବୁ ।୭।


ପ୍ରାଣ ବିକଳରେ ହୁଏ ଥର ହର,

ସହି ପାରୁନାହିଁ ବନ୍ୟାର ପ୍ରହାର ।

ଝଡ଼ ବତାସରେ ଛାଡ଼େ କିଆଁ ଘର,

କାହିଁକି ପ୍ରାଣରେ ଅଛି ଏତେ ଡର ।୮।


ଗରିବ ତ ଏଠି ଗରିବ ହିଁ ଅଛି,

ବାସ୍ତବରେ ଆଜି ବଦଳିନି କିଛି ।

ବଦଳିଛି ଖାଲି ନେତାଙ୍କର ସ୍ଥିତି,

ବଦଳିଛି ତାଙ୍କ ରୋଜଗାର ନୀତି ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama