ତେତିଶ କୋଟି ସ୍ବରୂପ
ତେତିଶ କୋଟି ସ୍ବରୂପ
ଦେବତା ଅର୍ଥରେ କୋଟି ନୁହେଁ ସଂଖ୍ୟା
ଅଥବା ସଂଖ୍ୟା ବାଚକ
ବେଦ-ବିଦିତ ଦେବତାଙ୍କ ଗଣନା
କେବଳ ବର୍ଗ ବାଚକ
ତେତିଶ କୋଟି ହିଁ ତେତିଶ ପ୍ରକାର
ସକଳ ଦେବୀ ଦେବତା
ସନାତନ ତଥା ହିନ୍ଦୁ ଧର୍ମ ଧାରେ
ଶାସ୍ତ୍ର ଭିତ୍ତିକ ମାନ୍ୟତା
କୋଟି ବ୍ୟବହାର ପ୍ରକାର ଭେଦରେ
ହୋଇଅଛି ବ୍ୟବହୃତ
ତେତିଶ ପ୍ରକାର ଅପଭ୍ରଂଶ ଧାରେ
କୋଟି ସଂଖ୍ୟାରେ ଗଣିତ
ଉଚ୍ଚ କୋଟିର ଅବା ନିମ୍ନ କୋଟିର
ଯେପରି ଗୁଣ ଗଣନା
ତେତିଶ କୋଟିର ଅର୍ଥ ବି ସେପରି
ତେତିଶ ପ୍ରକାରେ ଗଣା
ଦ୍ବାଦଶ ଆଦିତ୍ୟ ଏକାଦଶ ରୁଦ୍ର
ପୁଣି ଅଷ୍ଟ ବସୁ ଗଣ
ଦୁଇ ଅଶ୍ଵିନୀ କୁମାର ସହିତରେ
ତେତିଶ ଦେବତା ମାନ୍ୟ
ଧାତା,ମିତ,ଅର୍ଯ୍ୟାମା,ଶକ୍ରା,ବରୁଣ
ଅଂଶ ଭାଗ ବିବସ୍ୱାନ
ପୁଷ, ତଦସ୍ଥା,ସବିତା ସହ ବିଷ୍ଣୁ
ଦ୍ବାଦଶ ଆଦିତ୍ୟ ମାନ
ଏକାଦଶ ରୁଦ୍ର ଭାବେ ହର,ଶମ୍ଭୁ
ବହୁରୂପ, ମୃଗବ୍ୟାଧ
ତ୍ର୍ୟମ୍ବକ ,ଅପରାଜିତା,ବୃଷକାପି
ଶର୍ବା, କପାଳି, କର୍ପାଦ
ଘର,ଧ୍ରୁବ, ସୋମ, ଅହ ଓ ଅନୀଳ
ପୁଣି ଅନଳ,ପ୍ରତୁଷ
ପ୍ରଭାସ ସହିତ ଅଷ୍ଟ ବସୁ ଭାବେ
ଶାସ୍ତ୍ର ବାକ୍ୟର ସାରାଂଶ
ଅଶ୍ଵିନୀ ,କୁମାର ଦୁଇ ଦେବ ସହ
ରୁଦ୍ର, ବସୁ ଓ ଆଦିତ୍ୟ
ତେତିଶ ପ୍ରକାର ଦେବ ଦେବୀ ଗଣ
ବିଷ୍ଣୁଙ୍କ ମୁଖ ନିସୃତ
ଯାହା ଆଧାରରେ ଏ ଜୀବ ଜଗତ
ହେଉଛନ୍ତି ଆତଯାତ
ଅନ୍ୟ ଅର୍ଥେ ଯାହା ସହାୟକ ସଦା
' ବସୁ ' ନାମରେ ବିଦିତ
ପୃଥିବୀ,ଜଳ ,ଅଗ୍ନି, ବାୟୁ,ଆକାଶ
ସୂର୍ଯ୍ୟ ,ଚନ୍ଦ୍ର ଓ ନକ୍ଷତ୍ର
ଅଷ୍ଟ ବସୁ ଭାବେ ଜୀବନ ଯାତ୍ରାରେ
ସହାୟକ ହିଁ ସତତ
ପୃଥିବୀ ପୃଷ୍ଠରେ ଥିବା ସ୍ଥଳ କ୍ଷେତ୍ରେ
ସକଳ ପ୍ରାଣୀଙ୍କ ବାସ
ଖାଦ୍ୟ ଉପାଦାନ ଅବା ଆବଶ୍ୟକ
ଅର୍ଥେ ହୁଏ ଚାଷବାସ
ଖାଦ୍ୟ ବସ୍ତ୍ର ବାସସ୍ଥାନ ସବୁ
ପୃଥିବୀର ଅବଦାନ
ମୁଖ୍ୟ ସହାୟକ ଏ ପୃଥିବୀ ବସୁ
ସବୁଠାରୁ ମହୀୟାନ
ମାଛ ଆଦି ଅନ୍ୟ ଜଳଚର ପ୍ରାଣୀ
ଜଳ ଉପରେ ନିର୍ଭର
ତୃଷା ନିବାରଣ ଅବା କୃଷି କାର୍ଯ୍ୟେ
ଜଳ ହୁଏ ବ୍ୟବହାର
ମଣିଷର ସ୍ଥିତି ଓ ପ୍ରଗତି ପଥରେ
ଅଗ୍ନି ସଦା ଆବଶ୍ୟକ
ଖାଦ୍ୟ ରନ୍ଧନ ଠୁ କଳ କାରଖାନା
ଅଗ୍ନି ବଳେ ହିଁ ସାର୍ଥକ
ବାୟୁ ମଣ୍ଡଳରେ ଅମ୍ଳଜାନ ସଦା
ଜୀବନ ଧାରଣ ସ୍ରୋତ
ବାୟୁ ହିଁ ଏକାନ୍ତ ଅପରିହାର୍ଯ୍ୟ
ବାୟୁ ରହିଛି ସର୍ବତ୍ର
ଶୂନ୍ୟ ଆକାଶ ରେ ପିଣ୍ଡ ର ଆସ୍ଥାନ
ଅନୁମେୟ ସହଜରେ
ପୃଥିବୀ ସହିତ ସୁର୍ଯ୍ୟ ଚନ୍ଦ୍ର ଆଦି
ରହିଛି ପିଣ୍ଡ ଆକାରେ
ସୂର୍ଯ୍ୟ କିରଣ ରେ ଉଦ୍ଭିଦ ଜଗତ
ଖାଦ୍ୟ କରନ୍ତି ପ୍ରସ୍ତୁତ
ଔଷଧୀୟ ରସ ବୃକ୍ଷ ଲତା ମଧ୍ୟେ
ଚନ୍ଦ୍ର ଦ୍ଵାରା ସଞ୍ଚାରିତ
ନକ୍ଷତ୍ର ଦ୍ଵାରା ହିଁ ମହା-ଜାଗତିକ
ପ୍ରଭାବ ପରିଲକ୍ଷିତ ମେ
ପୂର୍ବ କାଳେ ଥିଲେ ମୁନି ଋଷି ଗଣ
ନକ୍ଷତ୍ର ବିଷୟେ ଜ୍ଞାତ
ରୋଦନ କରାନ୍ତି ଯେଉଁ ସବୁ ଶକ୍ତି
ଆକ୍ଷରିକ ଅର୍ଥେ ରୁଦ୍ର
ଦଶ ପ୍ରାଣ ପୁଣି ଜୀବାତ୍ମା ସହିତ
ବ୍ୟକ୍ତ ଏକାଦଶ ରୁଦ୍ର
ରୁଦ୍ର ଭାବେ ପ୍ରାଣ, ଅପାନ ଓ ବ୍ୟାନ
କୂର୍ମ,ସମାନ, ଉଦାନ
ଦେବଦତ୍ତ,ଧନଞ୍ଜୟ ଓ କୃକଲ
ନାଗ ସାଥେ ଦଶ ପ୍ରାଣ
ଦଶ ପ୍ରାଣ ଦଶ ରୁଦ୍ର ସହିତରେ
ଜୀବାତ୍ମା ବି ଏକ ରୁଦ୍ର
ସ୍ଥୂଳ ଶରୀରରେ ଆତ୍ମା ବିଦ୍ୟମାନ
ଭବ୍ୟ ଏକାଦଶ ରୁଦ୍ର
ଶ୍ଵାସ କ୍ରିୟା ପରେ ଭିନ୍ନ ଅବସ୍ଥାରେ
ଭିନ୍ନ ଭିନ୍ନ କ୍ରିୟା କର୍ମ
ଶରୀର ଭିତରେ ଭିନ୍ନ ପ୍ରାଣ ରୁଦ୍ର
ନିର୍ବାହ କରନ୍ତି କାମ
ଶ୍ୱସନ କ୍ରିୟା କୁ କରେ ସମ୍ପାଦନ
ରୁଦ୍ର ଭାବେ ଗଣା ପ୍ରାଣ
ନାଭି ଠାରୁ ମଳ ଦ୍ଵାରର ପର୍ଯ୍ୟନ୍ତ
ଅପାନ ର ହିଁ ଆସ୍ଥାନ
ଖାଦ୍ୟ ରୁ ପ୍ରସ୍ତୁତ ରସ ଯୋଗାଇବା
ସମାନ ପ୍ରାଣର କାମ
ପାଚନ ଶକ୍ତିର ମୁଖ୍ୟ ସହାୟକ
ନିହାତି ଗୁରୁତ୍ଵ କର୍ମ
ଆବିର୍ଭୁତ ହୋଇ କଣ୍ଠ ପ୍ରଦେଶରୁ
ଶିର ରେ ପ୍ରବିଷ୍ଟ ଯାହା
ଉଦାନ ନାମରେ ହୋଇଛି ନାମିତ
କଣ୍ଠ କେବଳ ହିଁ ରାହା
ଶରୀର ମଧ୍ୟରେ ବ୍ୟାପକ ପ୍ରାଣକୁ
ବ୍ୟାନ ନାମରେ ନାମିତ
ଜ୍ଞାନ, କର୍ମ,ଗତି ବାହକ ସହିତ
ତନ୍ତୁ ନାଡି ଅନ୍ତର୍ଗତ
ମୁଖ ଅଟେ ନାଗ ପ୍ରାଣର ନିବାସ
ହାକୁଟି, ଏଉଡ଼ି ଧାରେ
ଉଚିତ ଆହାର ବିହାର ପାଚନ
ଅନୁମେୟ ସହଜରେ
ନେତ୍ର ଅଟେ କୂର୍ମ ପ୍ରାଣର ନିବାସ
ପଲକ ବନ୍ଦ ଓ ଖୋଲେ
ଜାଗ୍ରତ ସମୟେ କାର୍ଯ୍ୟକ୍ଷମ ସହ
ପ୍ରାୟ ଅବିରତେ ଚାଲେ
କୃକଲ ପ୍ରାଣର ନିବାସ ହିଁ କଣ୍ଠ
ହାଇ ମାରିବା ବେଳରେ
କଣ୍ଠ ଓ ମୁଖକୁ ବିସ୍ତାରିତ କରେ
ଜାଣି ହୁଏ ସହଜରେ
ଦେବଦତ୍ତ ପ୍ରାଣ ନାସିକା ସ୍ଥାନୀୟ
ମୁଖ୍ୟତଃ ଛିଙ୍କ ଝାମେଲା
ଧନଞ୍ଜୟ ପ୍ରାଣ ସର୍ବତ୍ର ବ୍ୟାପକ
ଆଘାତରେ ଅଙ୍ଗେ ଫୁଲା
ଜୀବାତ୍ମା ସହିତ ଦଶ ପ୍ରାଣ ମିଶି
ଛାଡ଼ି ଗଲେ ଏ ଶରୀର
ରୋଦନ କରାନ୍ତି ବା ଦୁଃଖ ଦିଅନ୍ତି
ରୁଦ୍ର ସମ ବ୍ୟବହାର
ରୁଦ୍ର ମାନେ ଯଦି ଶାନ୍ତ ଅବସ୍ଥାରେ
ଶରୀର ବି ସୁରକ୍ଷିତ
ଆନନ୍ଦ ଓ ଶାନ୍ତି ହୃଦୟ ମଧ୍ୟରେ
ସହଜେ ପରିଲକ୍ଷିତ
ଦ୍ବାଦଶ ଆଦିତ୍ୟ ବାର ମାସ ନାମ
ଆୟୁ ଗ୍ରହଣ କାର୍ଯ୍ୟରେ
ସତର୍କ ସୂଚନା ଶିକ୍ଷା ଆଧାରରେ
ଆୟୁ କ୍ଷୟ କ୍ରମେ ଧୀରେ
ଅଶ୍ଵିନୀ କୁମାର ଅଟେ ଦୁଇ ଦେବ
ଇନ୍ଦ୍ର ବିଜୁଳିର ସମ
ଅନ୍ୟ ଦେବ ଭାବେ ଗଣା ପ୍ରଜାପତି
ଯଜ୍ଞ ପ୍ରଜାପତି ନାମ
ଯଜ୍ଞ ଦ୍ବାରା ଆପେ ବାୟୁ ବୃଷ୍ଟି ଜଳ
ଔଷଧି ଆଦିର ଶୁଦ୍ଧି
ଶିଳ୍ପ ବିଦ୍ୟା ଦ୍ଵାରା ପ୍ରଜାଙ୍କ ପାଳନ
ବିଦ୍ୱାନ ସତ୍କାର ବିଧି
ମଣିଷ କ୍ରମଶଃ ଅନୁଭବ ଧାରେ
ପହଞ୍ଚିଛି ସିଦ୍ଧାନ୍ତରେ
ଶରୀର ଭିତରେ ସବୁ ବିଦ୍ୟମାନ
ଯାହା ଘଟେ ପ୍ରକୃତି ରେ
ପିଣ୍ଡ-ବ୍ରହ୍ମାଣ୍ଡ ଏକ ପୁଣି ଅନନ୍ୟ
ବ୍ରହ୍ମାଣ୍ଡରେ ବିଶ୍ଵ-ଆତ୍ମା
ପ୍ରକୃତିର ପ୍ରତୀକ ସ୍ଥୂଳ ଶରୀର
ଶରୀର ମଧ୍ୟେ ଜୀବାତ୍ମା
ଅର୍ଜୁନଙ୍କ ବିଶ୍ଵରୂପ ଦର୍ଶନରେ
ପ୍ରକଟିତ ସବୁ ତତ୍ତ୍ଵ
ସମଗ୍ର ସୃଷ୍ଟିର ସବୁ କିଛି ତତ୍ତ୍ଵ
ବିଷ୍ଣୁ ଦେହେ ସମାହିତ
ସ୍ୱୟଂ ବିଷ୍ଣୁ ଆପେ ବିରାଟ ରୂପରେ
ସଚରାଚର ସମଗ୍ର ଜଗତକୁ
ବିଷ୍ଣୁଙ୍କ ଏକ ଅଂଶରେ
ଦିବ୍ୟ ଦୃଷ୍ଟି ପ୍ରାପ୍ତି ବଳେ ସେ' ଅର୍ଜୁନ
ଦର୍ଶନ କଲେ ଅଚିରେ
ତେତିଶ କୋଟି ଦେବତା ସହିତରେ
ଅଣଚାଶ ଟି ମରୁତ
ସକଳ ତତ୍ତ୍ଵର ସମାହାର ସାଥେ
ବିଷ୍ଣୁ ଅଙ୍ଗେ ସମାହିତ
ଶରୀର ଭିତରେ ସକଳ ତତ୍ତ୍ଵର
ମହତ୍ତ୍ୱ ଧାରେ ଜୀବନ
ବିଶ୍ଵାତ୍ମା ଦ୍ଵାରା ହିଁ ଜୀବାତ୍ମା ଚାଳିତ
ରହସ୍ୟ ଭିତ୍ତିକ ଜ୍ଞାନ
