ଈଶ୍ବର ଭୁଲିଛି ବୋଲି
ଈଶ୍ବର ଭୁଲିଛି ବୋଲି
ଦିଶୁନାହିଁ ସକାଳର ସତେଜତା ଭବ୍ୟତା
ପ୍ରଖର ସୂର୍ଯ୍ୟାଲୋକେ ବି ଆକାଶଟା ଲାଗେ ଅମାରାତି,
ଈଶ୍ବର ଭୁଲିଛି ବୋଲି
ଫୁଲପତ୍ର ଯେତେ ସତେ ମୋତେ
ମୋଡୁଛନ୍ତି ମୁହଁ ଟେକୁଛନ୍ତି ନାକ
ଗଛମୂଳେ ଦେଲେ ଜଳ
ଲାଗୁଛି ଗଛଲତା ଙ୍କୁ ଜଳ ନୁହେଁ ସେ ଗରଳ ।
ହସକଥା ରେ ଓଠରେ ଫୁଟୁନି ଆଉ ହସ
ବିଷାଦର ବାଦଲରେ ଲୁଚିଯାଏ
ଏ ମନର ସେ ଉତ୍ସୁକତା ପ୍ରଫୁଲ୍ଲିତ ଯେତେ ଦିବସ,
ପ୍ରଭୁଙ୍କୁ ଡ଼ାକୁନି ବୋଲି ମନ୍ଦିରେ
ଘର ସତେ ଲାଗେ ନୀରବତାର ମଶାଣି
ପ୍ରତି ମୁହୁର୍ତ୍ତରେ ସତେ କିଏ
ତରବାରୀର ବିନା ଶବଦରେ ଦେଉଅଛି ହାଣି ।
ଏ ଉଦର ଅଭିମାନ କରିଛି
ଭୋକ ଶୋଷ ପ୍ରତି ନାହିଁ ଆଉ ପ୍ରେମ ଅନୁରାଗ,
ଠାକୁରଙ୍କୁ ଭକ୍ତି ନାହିଁ ବୋଲି
ମସ୍ତିଷ୍କ ଆଗେ ନତମସ୍ତକ ବିବେକ ବେଳେବେଳେ
ଶୂନ୍ଯ ଲାଗେ କୋଳାହଳ
ଫିକାଫିକା ଦିଶେ ଯେତେ ଜୀବନର ଗାଢରଙ୍ଗ
ଜୀବନଟା ବିତେ ଯାହା ସଞ୍ଜ ସକାଳ ।
ସରଳତା ସତେ ପାଲଟିଛି ଜଟିଳ
ଅସହାୟତା କର୍କଶ ସଙ୍ଗୀତ କେବଳ ମୋ' କର୍ଣ୍ଣେ
ଶୁଭୁଛି ବାରବାର ବିଷଭରା ସ୍ୱରେ,
ପ୍ରାର୍ଥନା କରୁନି ବୋଲି
କ୍ରୋଧୀତ ଭଗବାନ ସତେ ଦିଅନ୍ତି କି ଅଭିଶାପ
ମନରେ ମୋ' ବିଶ୍ବାସ ତୁମ୍ଭଠି ଅମାପ
କ୍ଷମା, ଦୟା କିଛି ପାଉନି
କେବେକେବେ ମୁରୁଖ ମୁଁ ଈଶ୍ବର ନିନ୍ଦୁଛି ବୋଲି।