ଈଶ୍ୱରଙ୍କୁ ଚିଠି
ଈଶ୍ୱରଙ୍କୁ ଚିଠି
ଜୀବନଟା ମୋ ଗଲାଣି ସରି
କାଳିଆ ତୋ ନାମକୁ ଧରି
ଶ୍ରୀମନ୍ଦିରେ ବସିଅଛୁ ଚକା ପାରି
ଥରୁଟିଏ ଶୁଣୁ
ତୋ ଭକ୍ତର ଗୁହାରୀ ।
ସୁଖଦୁଃଖ କଥା ସବୁ ତତେ ଜଣା
ମିଛ ମାୟା ବନ୍ଧନେ ମୁଁ ବାଟବଣା
ସମ୍ପର୍କର ସୂତାଖିଅଟା ଏଠି ଖାଲି
ଛଳନା ଓ ପ୍ରତାରଣା
ମୋ ଦୁଃଖ କ'ଣ ତତେ ବା ଅଜଣା ।
ଜଗତର ନାଥ ବୋଲି
ଚାରିଆଡେ ପଡୁଅଛି ହୁରି
କେହି କହେ ତୁ ଗୋବିନ୍ଦ, ଗୋପାଳ
ବେଣୁଧର ଆଉ
କେହି କହେ ତୁ ମୂରଲୀଧାରୀ ।
ତୁମ୍ଭ ଲୀଳାରେ ଜଗତ ଚଳଚଞ୍ଚଳ
ବିନ୍ଦୁ ଠାରୁ ସିନ୍ଧୁ ସୃଷ୍ଟି ଯେ ତୁମ୍ଭର
ଶଙ୍ଖ, ଚକ୍ର, ଗଦା ପଦ୍ମ କରେ ଧରି
ପାପପୁଣ୍ୟର କରି ବିଚାରି
ଉଦ୍ଧାର କର ହେ ପ୍ରଭୁ ଚକ୍ରଧାରୀ !
ଯାହା ଦେଇଥିଲୁ ମତେ
ସବୁ ନେଲୁଣି ଛଡ଼େଇ
ନିଃସ୍ବ କରି ଯଦି ଲଭିବୁ ଯଶ
ମନା କରିବିନି ଜୀବ ଯିବା ଯାଏଁ
ରହିଥିବି ଖାଲି ତତେ ଅନେଇ ।
ତୋ ପ୍ରେମେ ପାଗଳ ହୋଇ
ଅନ୍ଧ ହେଲିଣି ମୁହିଁ
ଉପାସେ ଭୋକେ ଗଲିଣି ମରି
ପିଇବାକୁ ମନ ହୁଏ
ଖାଲି ତୋ ଟଙ୍କ ତୋରାଣୀ ।
ନୟନ ଯୁଗଳୁ ବୋହିଆସେ
କେତେ କୋହଭରା ଅଶ୍ରୁଧାରା
ଦିନୁଦିନ ବଢ଼ିଚାଲେ ଯନ୍ତ୍ରଣା
ଅସହ୍ୟ ବେଦନାର
ଯେତେ ଜୀବନର ଭାରା ।
କିନ୍ତୁ କାହିଁକି ?
ତୁ ମୋ ପ୍ରତି ଏତେ ନିଷ୍ଠୁର
ପାରୁନି ମୁଁ ଜାଣି
ଜାଣିଛି ଏତିକି , ଦିନେ ନା ଦିନେ
ଟଳମଳ ହବ ତୋ ରତ୍ନ ସିଂହାସନ
ଯେବେ ବାଇଶି ପାହାଚେ ପଡି
ଚାଲି ଯାଇଥିବ ମୋ ପ୍ରାଣ ।
