ଇଏ ସେଇ ଝିଅ
ଇଏ ସେଇ ଝିଅ
ଇଏ ସେଇ ଝିଅ ଜନମି ଥିଲା ଯେ
ଗାଆଁ ସବୁଜ ମାଳରେ
ଝିଅ ଟିଏ ବୋଲି ପାଠ ପଢ଼ା ପାଇଁ
ଗୁରୁତ୍ଵ ନଥିଲା କାରେ ।
ଡରକୁଳୀ ଝିଅ ନାକ କାନ୍ଦୁରୀ ଟେ
ଡରେ ବାଇଗଣ ପୋକେ
ମୁଠି ଚାଉଳରେ ପୋକ ଦେଖି ସିଏ
ବିଦ୍ୟାଳୟୁ ଫେରେ ଘରେ ।
ଝିଅମାନଙ୍କର ସାଇକେଲ ଚଢ଼ା
ଦେଖି ନଥିଲା ତା ଆଖି
ସାଙ୍ଗ ସାଥୀ ମେଳେ ଉଚ୍ଚ ବିଦ୍ୟାଳୟ
ଯାଉ ଥିଲେ ଚାଲି ଚାଲି ।
ରେଳ ଧାରଣର ଦୁଇପାଶେ ଛିଡା
ତାଳବଣ ଯେ ସୁନ୍ଦର
ତାଳ ବରଡାରେ ବାଇ ଚଢେଇର
ବସା ଅଟେ ମନୋହର ।
ବାଇଚଢେଇର କାରିଗରୀ ଦେଖି
ଆଶ୍ଚର୍ଯ୍ୟ ଲାଗଇ ପରା
କିଏ ଶିଖାଇଲା କାରିଗରୀ କଳା
ମନେ ନାନା ପ୍ରଶ୍ନ ଭରା ।
ଘର ଦ୍ଵାର ଶୂନ୍ୟ ନିର୍ଜନ ରାସ୍ତାରେ
ଦଉଡି ଦଉଡ଼ି ଯିବା
ସାଙ୍ଗ ସାଥୀ ଯଦି ଛାଡି ଯାଉଥିଲେ
ଏଇ ଝିଅ କାନ୍ଦୁ ଥିଲା ।
ସମୟ ଆସିଲା ସ୍ଥିତି ବଦଳିଲା
ଏଇ ଝିଅ ବଦଳିଲା
ଗାଁ ରାଜ୍ୟ ଛାଡି ଏଇ ଝିଅ ପୁଣି
ବାହାରେ ଯାଇ ରହିଲା ।
ବର୍ତ୍ତବ୍ୟ କର୍ମର ଡାକରାରେ ସିଏ
ଦୃଢ ହୋଇ ଠିଆ ହେଲା
ସମସ୍ୟାକୁ ସାମ୍ନା କରି କରି ସିଏ
ଜୀଇଁବା କଳା ଶିଖିଲା ।
ସମାଲୋଚନାର ଶରବ୍ୟ ହୋଇଛି
କେତେ ଯେ ଦୁଃଖ ଆସିଛି
ଦୁଇ ଟୋପା ଲୁହ ତା ଆଖିରୁ ଝରି
ଦୁଃଖକୁ ଧୋଇ ଦେଇଛି।
ସମାଲୋଚନା ଓ ଭୁଲ୍ ବୁଝାମଣା
ତାକୁ ଦୃଢ କରିଅଛି
ଇଏ ସେଇ ଝିଅ ଡର କୁଳୀ ଝିଅ
ଆଜି ଡର ଛଡ଼ାଉଛି ।
ଇଏ ସେଇ ଝିଅ ନାକ କାନ୍ଦୁରୀ ଟା
କେତେ ଲୁହ ପୋଛୁ ଅଛି
ସାଇକେଲ ଚାଳନା ଶିଖି ନଥିଲେ ବି
ବାଇକ୍ ଚଲାଉ ଅଛି ।
ଇଏ ସେଇ ଝିଅ ଦୁର୍ବଳା ଅବଳା
ଆଜି ସାହସ ବାଣ୍ଟୁଛି
ହାରିଯାଉଥିବା ଲୋକଙ୍କ ମନରେ
ଜିତିବା ଶଙ୍ଖ ଫୁଟୁଛି।
ଇଏ ସେଇ ଝିଅ ନିରୀହା ସରଳା
ସମୟକୁ ସ୍ୱୀକାରିଛି
ସୁଅରେ ପତର ହୋଇ ଭାସି ନାହିଁ
କର୍ମଶୀଳା ବନି ଅଛି ।
ଇଏ ସେଇ ଝିଅ ନାକ କାନ୍ଦୁରୀ ଟା
ତା ସ୍ମୃତିରେ ଡୁବି ଅଛି
ସ୍ମୃତି ସାଗରରୁ ମୁକୁତା ସାଉଁଟି
ବାଣ୍ଟି ଆନନ୍ଦ ପାଉଛି ।
