STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଇଚ୍ଛାମୟ ତୁମେ ବୈକୁଣ୍ଠ ବିହାରୀ

ଇଚ୍ଛାମୟ ତୁମେ ବୈକୁଣ୍ଠ ବିହାରୀ

1 min
237


ଇଚ୍ଛାମୟ ତୁମେ ବୈକୁଣ୍ଠ ବିହାରୀ

ଶ୍ରୀକ୍ଷେତ୍ର ସୁନ୍ଦର ଶିରୀ ।

ମହୋଦଧି ତୀରେ ବଡ ଦେଉଳରେ

ବିତର କରୁଣା ବାରି  ॥୧॥

ଇଚ୍ଛାରେ ତୁମର ସୃଜିଲ ସଂସାର

ତୁମେ ସିନା ଲୀଳାମୟ ।

ଷୋଳକଳା ଘେନି ରତ୍ନସିଂହାସନେ

ବିଜେ ତନୁ ଦାରବୀୟ  ॥୨॥

କସ୍ତୁରୀ ଚନ୍ଦନ ହେଉଛ ଲେପନ

କରୁଣାନିଧାନ ହରି ।

ଭକତଙ୍କ ଡାକ ଶୁଣୁଛ ସଙ୍ଗତେ

ଭାଇ ଭଉଣୀଙ୍କୁ ଧରି ॥୩॥

କେତେ କେତେ ବେଶ ହୁଅ ପୀତବାସ

ପାଟ ପୀତାମ୍ବରୀ ପିନ୍ଧି ।

ତୁଳସୀ ମାଳିଆ ଦୟଣା ଚୂଳିଆ

ରଖ ଭକତଙ୍କୁ ବାନ୍ଧି  ॥୪॥

ନିଜେ ବନ୍ଧା ହୁଅ ପାଟ ଦଉଡିରେ

ଅବିରତେ ଦୟା ବହି ।

ଭକତର ହୃଦ ଚନ୍ଦନ ବୋଲାଅ

ଭକ୍ତରଙ୍କା ଭାବଗ୍ରାହୀ  ॥୫॥

ମର୍ତ୍ତ୍ୟର ବୈକୁଣ୍ଠ ଶ୍ରୀକ୍ଷେତ୍ରର ଶିରୀ

ତୁମେ ବୈକୁଣ୍ଠ ବିହାରୀ ।

ତୁମ ଦରଶନେ ତନୁ ମନ ମୋର

ପୁଲକିତ ହୁଏ ହରି   ॥୬॥

ଦଶ ଚବିଶ ବତିଶ ଚଉଷଠି

ଅବତାର ହୁଅ ତୁମେ ।

ଦୁଷ୍କୃତ ନାଶନ ପତିତପାବନ

ବୋଲାଅ ମରତ ଧାମେ  ॥୭॥

ତୁମେ ମାତା ପିତା ତୁମେ ବନ୍ଧୁ ସଖା

ତୁମେ ବିଦ୍ୟା ତୁମେ ଧନ ।

ତୁମେ ସର୍ବଦେବ ମୋର ଜଗନ୍ନାଥ

ତୁମେ ମୋର ପ୍ରାଣ ମନ  ॥୮॥

ଭବସାଗରର ଦୁଃଖ ଦୂର କର

ଆହେ ବୈକୁଣ୍ଠ ବିହାରୀ ।

ତୁମ ନାମ ଜପି ତୁମ ରୂପ ଦେଖି

ଯାଏ ଏ ସଂସାରୁ ତରି ॥୯॥



Rate this content
Log in

Similar oriya poem from Abstract